ଡହ ଡହ ଖରା ତାତିରେ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ମାସ ଏପ୍ରିଲ ୩୦ ତାରିଖ ଶନିବାର ଦିନ ପୂର୍ବାହ୍ନ ୧୧ଟା୩୦ରେ ଅନୁଷ୍ଠିତ ହେବାକୁ ଯାଉଛି ନବୋଦୟ ପ୍ରବେଶିକା ପରୀକ୍ଷା ଏବଂ ଅପରାହ୍ନ ସାଢ଼େ ଗୋଟେ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ଆଡମିଟ କାର୍ଡରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଯାହାଫଳରେ ଡହ ଡହ ଖରାରେ ୫ମ ଶ୍ରେଣୀରେ ପଢୁଥିବା ୯/୧୦ବର୍ଷର କୋମଳମୋତି ଛାତ୍ରଛାତ୍ରୀମାନେ ୬ଷ୍ଠ ଶ୍ରେଣୀ ପାଇଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେବାକୁ ଆସି ଅସହ୍ୟ ଗ୍ରୀଷ୍ମ ତାପରେ ଯନ୍ତ୍ରଣା ଅନୁଭବ କରିବେ । ପ୍ରଚଣ୍ଡ ଖରାରେ ପିଲାମାନେ କିପରି ପରୀକ୍ଷା କେନ୍ଦ୍ରକୁ କିପରି ଆସିବେ ସେନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲିଟିଛି । ସୂଚନା ଯୋଗ୍ୟ ଯେ ଗତ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ/କଲେଜ ଗୁଡିକୁ ଆସନ୍ତା ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ଓ ପୂର୍ବ ନିଦ୍ଧାରିତ ନିୟମ ମୁତାବକ ପରୀକ୍ଷା ଚାଲୁ ରଖିଛନ୍ତି । ଏଣେ ଗ୍ରୀଷ୍ମ ତାତିରେ ଘରୁ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସକାଳ ୧୦ ବାଜିଲେ ଅସହ୍ୟ ଖରା ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଏଭଳି ସ୍ଥିତିରେ ପିଲାମାନଙ୍କୁ ଖରା ଦାଉରୁ ରକ୍ଷା ପାଇଁ କେନ୍ଦ୍ର/ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ତୁରନ୍ତ ପରୀକ୍ଷା ସମୟ ପରିବର୍ତନ ପାଇଁ ପଦକ୍ଷେପ ନେଲେ ଛାତ୍ରଛାତ୍ରୀମାନେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରୁ ସୁରକ୍ଷିତ ରହିପାରିବେ ବୋଲି ଜନସାଧାରଣ ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.