ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ୱରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ସହ ଶ୍ରୀ ଟପ୍ପୋ ବରିକେଲ ପଞ୍ଚାୟତର ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବରିକେଲ ତଥା କେର୍ମେଲାବାହାଲ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କେର୍ମେଲାବାହାଲକୁ ଗସ୍ତ କରି ସେଠାରେ ଥିବା ବୁଥ୍‌ଗୁଡିକ ଦେଖିଥିଲେ । ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ସଂପାଦନ କରୁଛି । ସେହି କ୍ରମରେ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ପଦ୍ମପୁର ଉପଜିଲ୍ଲାପାଳ ବୁଥ୍ ନମ୍ବର ୧୮୪ ଓ ୨୦୪କୁ ଗସ୍ତ କରି ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକ ଧାଡ଼ି ବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ଦେଖିଛନ୍ତି ଏବଂ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଭେଟି ମନଯୋଗ ସହକାରେ ପାଠପଢ଼ି ଉଚ୍ଚାକାଂକ୍ଷୀ ହେବା ପାଇଁ ଉପଦେଶ ଦେଇଛନ୍ତି ।

Leave A Reply

Your email address will not be published.