ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ପଞ୍ଚାୟତର ତୁଲୁଣ୍ଡୁପାଲି ଝରାପଡାର ୨୪ ଗୋଟି ଭୂମିହୀନ ପରିବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରହିବା ପାଇଁ ଜମି ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ କରି ଗୁହାରି କରିଥିଲେ । ଖୁବ୍ ଶୀଘ୍ର ଏହି ଗାଁକୁ ପରିଦର୍ଶନ କରିବାକୁ ଓ ଏହି ସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ଡ଼. ନୃପରାଜ ସାହୁ ଏହି ଗରିବ ପରିବାରଙ୍କୁ ପ୍ରତିଶ୍ର୍ରୁତି ଦେଇଥିଲେ । ଜିଲ୍ଲାପାଳ ମଧ୍ୟ ତାଙ୍କ କଥା ରଖି ତତକ୍ଷଣାତ ନିଜେ ଉକ୍ତ ଗ୍ରାମକୁ ପରିଦର୍ଶନ କରି ସେମାନଙ୍କ ସହ ମିଶି ବାସ୍ତବ ଚିତ୍ର ପରଖିଥିଲେ । ପ୍ରକାଶ ଥାଉ କି ଯେ, ବିଗତ ୨୦୨୨-୨୩ରେ ଏହି ଗାଁ ଲୋକେ ସାମାନ୍ୟତମ ମୌଳିକ ସୁବିଧାରୁ ବଞ୍ଚିତ ଥିବା ବିଷୟ ଖବର ଯେତବେଳେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାକୁ ପହଞ୍ଚିଥିଲା, ତୁରନ୍ତ ଗାଁକୁ ସଂଘର କର୍ମକର୍ତ୍ତା ପହଞ୍ଚି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଲୋକଙ୍କ ଦୁଃଖକଷ୍ଟକୁ ଅନୁଭବ କରି ଜିଲ୍ଲା ପ୍ରଶାସନ ମଧ୍ୟ ତୁରନ୍ତ ତାଙ୍କ ମାଟି ଘର ପାଇଁ ପଲିଥିନ, ପିଇବା ପାଣି ଓ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଥିଲେ । ହେଲେ ସେମାନେ ସ୍ଥାୟୀ ଜମିପଟ୍ଟା କିମ୍ୱା ଆବାସ ଗୃହ ପାଇ ନ ଥିବା କଥା ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଡ.ସାହୁଙ୍କୁ ଭେଟି ନିଜ ଗୁହାରି ଜଣାଇଥିଲେ । ଜିଲ୍ଲାପାଳ ମଧ୍ୟ ତାଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ତାଙ୍କ ଗ୍ରାମକୁ ଯାଇ ତାଙ୍କୁ ଭେଟି ଥିବା ଓ ସମସ୍ତ ସମସ୍ୟା ଉପରେ ଆଲୋଚନା କରିଥିବା ଯୋଗୁଁ ସମସ୍ତ ପରିବାର ଖୁସି ପ୍ରକାଶ କରିଥିବାବେଳେ ଜିଲ୍ଲାପାଳ ତାଙ୍କ ରହିବା ପାଇଁ ଭୂମି ଯୋଗାଇ ଦେବା ଆଶା ଉଜ୍ୱଳ ହୋଇଛି । ଆଜିର ଏହି ଗସ୍ତ ସମୟରେ ବିନିକା ବିଡ଼ିଓ ମଣ୍ଟୁ ଖମାରୀ ଓ ତହସିଲଦାର ରସ୍ନା ଭୋଇ ମଧ୍ୟ ଉପସ୍ଥିତ ଥିଲେ ।