jayashree

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ନବୀନ କାର୍ଡର ଶୁଭାରମ୍ଭ

  • ରାଜ୍ୟର ୯୦% ଲୋକ ଉପକାର ପାଇବେ
  • ପଇସା ଅଭାବରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି । ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ର ମହତ୍ୱାକାଂକ୍ଷୀ ଲକ୍ଷ୍ୟ । ମୋର ସ୍ୱପ୍ନ ହେଉଛି ଓଡିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ମୁଁ ଏମିତି ଏକ ଓଡିଶା ଚାହେଁ, ଯେଉଁଠାରେ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହା ସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବ । ପଇସା ପାଇଁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେଉ । ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ । ଏବଂ ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ବିଏସ୍‌କେୱାଇ ଯୋଜନାରେ ପ୍ରତିମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସ୍‌କେୱାଇ ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ । ଏକ ଉତ୍ତମ ମଡେଲ । ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି । ଏବେ ଆମେ ବିଏସ୍‌କେୱାଇ ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ । ଏହି ପର୍ଯ୍ୟାୟରେ ବିଏସ୍‌କେୱାଇରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ । ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ ବିଏସ୍‌କେୱାଇ ଯୋଜନା ଅଧୀନରେ ନାହାନ୍ତି ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ । ସେମାନେ ସମସ୍ତେ ଆମର ନୂଆ ବିଏସ୍‌କେୱାଇ -ନବୀନ କାର୍ଡ ପାଇବେ । ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ । ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ । ସେମାନେ ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । ମୋର ବିଶ୍ୱାସ, ବିଏସ୍‌କେୱାଇ-ନବୀନ କାର୍ଡ ଦ୍ୱାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ ।

Leave A Reply

Your email address will not be published.