
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ କୋଶଲି ଭାଷା ସୁରକ୍ଷା ସମିତି ତରଫରୁ କୋଶଲି କବି ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତିରେ ଏକ କବିତା ଆସର କବିତାର ଦୁଲଦୁଲି କାର୍ଯ୍ୟକ୍ରମ ସମିତିର ସଭାପତି ଦିଲୀପ ପଶାୟତଙ୍କ ସଭାପତିତ୍ୱରେ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋଶଳ ପ୍ରବାହର ମୁଖ୍ୟ ସମ୍ପାଦକ ତଥା ସୁପରିଚିତ କୋଶଲି କବି ଆନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗ କବି ଟିକେଲାଲ୍ ବେହେରା, ଶିଶୁ ସାହିତ୍ୟିକ ଯୁଗଳ କିଶୋର ଷଡ଼ଙ୍ଗୀ, କବି ବିରଞ୍ଚି ଦାଶ, ବିନୟ କୁମାର ଦାଶ, ସୁଶାନ୍ତ ବାଗ, ସ୍ୱର୍ଗତ ସାଆନ୍ତଙ୍କ ପତ୍ନୀ ଯାଜ୍ଞସିନି ସାଆନ୍ତ ମଞ୍ଚାସିନ ହେବା ପରେ ପ୍ରଥମେ ଚତୁର୍ଭୁଜ ସାଆନ୍ତଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ମଞ୍ଚ ପରିଚାଳନା କରିଥିଲେ କବି ଜ୍ୟୋତି ପ୍ରକାଶ ଗଡତୀୟା । ଏହି ଅବସରରେ ଉପସ୍ଥିତ ଥିବା ଅତିଥି ମାନେ ସ୍ୱର୍ଗତ ସାଆନ୍ତଙ୍କ ସ୍ମୃତି ଚାରଣ କରିବା ସହ କୋଶଲି ଭାଷାର ପ୍ରଚାର ପ୍ରସାରରେ ତାଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ । ସେହିପରି ତାଙ୍କ ପତ୍ନୀ କୋଶଲି ଭାଷା ସୁରକ୍ଷା ଅଭିଯାନ ପାଇଁ ଯାହା ତାଙ୍କର ସ୍ୱପ୍ନ ଥିଲା ମୁଁ ମଧ୍ୟ ପୁରଣ କରିବା ଦିଗରେ ମୋ ଦ୍ଵାରା ଯଥା ସମ୍ଭବ ସାହାଯ୍ୟ ସମର୍ଥନ କରିବି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସ୍ୱର୍ଗତ ସାଆନ୍ତଙ୍କ ସ୍ମୃତିରେ କିଛି କବିଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଅପରାହ୍ନ ଦ୍ୱିତୀୟ ଅଧିବେଶନରେ ଆସିଥିବା କବି ମାନେ ନିଜ ନିଜର କବିତା ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅନୁଷ୍ଠାନର ଭିକାରୀ ମିଶ୍ର, ବନମାଳୀ ଦାସ, ଘିନୁ ଆଡଯୁଆଡ, ନୀଳମଣି ସାହୁଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।