ଏପ୍ରିଲ ୧ରେ ନୂଆ ଢଙ୍ଗରେ କଳା ଦିବସ ପାଳନ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍ଏସ୍‌) : ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏପ୍ରିଲ ୧ ତାରିଖରେ କଳାଦିବସ ପାଳନ କରାଯିବ । ଏହି ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ଓ ତା’ ସହ ସମ୍ବନ୍ଧିତ ସଂଗଠନ ମାନଙ୍କ ତରଫରୁ ବିଭିନ୍ନ ଜିଲ୍ଲା ସଦର ମହକୁମା, ସବ୍‌ଡ଼ିଭିଜନ ଓ ବ୍ଲକ ସ୍ତରରେ କଳା ପତାକା ଉତ୍ତୋଳନ, ଗଣଧାରଣା, କଳାବେଜ୍‌ ପରିଧାନ, ଓଡ଼ିଶା ମାନଚିତ୍ରରୁ କୋଶଳକୁ ଅଲଗା କରିବା, ଆବଶ୍ୟକ ସ୍ଥଳେ ରାସ୍ତା ଅବରୋଧ ଓ କୁଶପୁତ୍ତଳିକା ଦାହ ଇତ୍ୟାଦି କାର୍ଯ୍ୟକ୍ରମ ମାନଙ୍କ ମାଧ୍ୟମରେ ପ୍ରତିବାଦ କରାଯିବା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ଼ କଟକଣା ଯୋଗୁଁ ଗତବର୍ଷ ଏପ୍ରିଲ ୧ ତାରିଖରେ ନିଆରା ଢ଼ଙ୍ଗରେ କଳାଦିବସ ପାଳନ କରାଯାଇଥିଲା । ପରିବର୍ତ୍ତିତ ପରିସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଅଧିକ ଜନାଭିମୁଖୀ ଢାଂଚାରେ କରାଯିବ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟି ନିଷ୍ପତ୍ତି କରିଛି । ଏହି ଦିନ ବିଭିନ୍ନ ଜିଲ୍ଲାର ପ୍ରତିଷ୍ଠା ଦିବସ ମଧ୍ୟ ପଡ଼ୁଥିବାରୁ ସେଭଳି ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳନ ଦିନକୁ ଆଘାତ ନ ପହଂଚାଇ ଏହି କଳା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । କିନ୍ତୁ ଓଡ଼ିଶା ପ୍ରଦେଶ ଗଠନ ସମୟରେ ଓ ପରବର୍ତ୍ତୀ ସମୟରେ କୋଶଳାଞ୍ଚଳ ପ୍ରତି କରାଯାଇଥିବା ବିଶ୍ୱାସଘାତ ଓ ପ୍ରବଂଚନା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏବଂ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭାମାନ ମଧ୍ୟ କରିବାକୁ ସ୍ଥିର କରାଯାଇଛି । ନିଜ ଅଂଚଳ ଓ ନିଜର ଜନ୍ମମାଟି ପ୍ରତି ମମତା ରଖିଥିବା କୌଣସି ବ୍ୟକ୍ତି ବିଶେଷ ଏପ୍ରିଲ ୧ ତାରିଖରେ ସରକାରୀ ସ୍ତରରେ ପାଳିତ ହେଉଥିବା ଓଡ଼ିଶା ଦିବସରେ ସାମିଲ ନ ହେବାକୁ କୋଶଳାଞ୍ଚଳର ଜନସାଧାରଣଙ୍କୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନ ଦେଇଛି ।
କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଏହି ଦିନ ଏ ଅଂଚଳର ଜନ ସାଧାରଣଙ୍କ ସହମତି ନ ନେଇ ସମ୍ବଲପୁର ଓ କୋରାପୁଟ ଜିଲ୍ଲାକୁ ଜବରଦସ୍ତ ଓଡ଼ିଶା ମାନଚିତ୍ରରେ ସ୍ଥାନିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅର୍ଥାତ ୧୯୪୮ ମସିହା ଜାନୁଆରୀ ୧ ତାରିଖରେ ଗଡ଼ଜାତ ମିଶ୍ରଣ ସମୟରେ କୋଶଳାଞ୍ଚଳର ବାକି ଗଡ଼ଜାତ ମାନଙ୍କୁ ଚକ୍ରାନ୍ତ କରି ଓଡ଼ିଶା ସହ ମିଶେଇ ଦିଆଯାଇଥିଲା । ସେହି ଦିନ ଠାରୁ କ୍ରମାଗତ ଭାବରେ କୋଶଳାଞ୍ଚଳକୁ ଉଗ୍ର ଆଞ୍ଚଳିକ ବୈଷମ୍ୟର ଶିକାର କରାଯାଇଛି । ଏ ଅଂଚଳର ସମସ୍ତ ଆର୍ଥିକ ଉତ୍ସକୁ ଲୁଣ୍ଠନ କରାଯାଇ ଉପକୂଳ ଓଡ଼ିଶାର ବିକାଶ ଦିଗରେ ତାକୁ ବିନିଯୋଗ କରାଯାଇଛି । ଏ ଅଂଚଳରେ ତତ୍‌କାଳୀନ ସମୟରେ ପ୍ରତିଷ୍ଠିତ ବିଭିନ୍ନ ପ୍ରତିଷ୍ଠାନ ମାନଙ୍କୁ ଉପକୂଳ ଓଡ଼ିଶାକୁ ଉଠେଇ ନିଆଯିବା ସହ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଘୋଷଣା କରିଥିବା ବିଭିନ୍ନ ପ୍ରତିଷ୍ଠାନ ମାନଙ୍କ ମ୍ମରୁ ଅଧିକାଂଶ ପ୍ରତିଷ୍ଠାନ କେବଳ ଉପକୂଳ ଓଡ଼ିଶାରେ ସ୍ଥାନୀତ କରାଯାଇଛି । ଫଳତଃ ପ୍ରାକୃତିକ ସମ୍ପଦରେ ଭରପୁର କୋଶଳାଞ୍ଚଳ ଆଜି ଅନାହାର ମୃତ୍ୟୁ, ପିଲା ବିକ୍ରି, ଚାଷୀ ଆତ୍ମହତ୍ୟା, ଦାଦନ ଓ ବେକାରୀ ସମସ୍ୟା ଭଳି ଉଗ୍ର ଆର୍ଥିକ ସମସ୍ୟାର ଶିକାର ହୋଇଛି । ଏହି ସମସ୍ୟା ସବୁର ନିଦାନ କରିବା ପରିବର୍ତ୍ତେ ରାଜ୍ୟ ସରକାର ଏ ଅଂଚଳ ଉପରେ ଜବରଦସ୍ତିଆ ଭାବରେ ସବୁ ସ୍ତରରେ ରାଜ୍ୟ ସ୍ତରୀୟ ନିଯୁକ୍ତି ଯୋଜନା ଲାଗୁ କରି ଉଗ୍ର ବେକାରୀ ସମସ୍ୟା ସୃଷ୍ଟି କରିଛି । ଏହାଛଡ଼ା ବନ୍ଦେ ଉତ୍କଳ ଜନନୀ ଭଳି ଉପକୂଳ ଓଡ଼ିଶା ସ୍ଥାନୀୟ ସଙ୍ଗୀତକୁ କୋଶଳାଞ୍ଚଳ ଉପରେ ଲଦି ଦେଇ ରାଜ୍ୟ ସରକାର କୋଶଳାଞ୍ଚଳର ସ୍ୱାଭିମାନ ଉପରେ କୁଠାରାଘାତ କରିଛି । ତେଣୁ ଏପ୍ରିଲ ୧ କଳାଦିବସ ପାଳନ ନିଷ୍ପତ୍ତିକୁ ଜୋରସୋରରେ ପାଳିତ କରିବା ପାଇଁ କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ପୁରୋହିତ କୋଶଳାଞ୍ଚଳର ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.