ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକର ସଫଳ ଓ ତ୍ୱରିତ ରୂପାୟନ କରିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା ଏବଂ ଓଡିଶା ପ୍ରଶାସନିକ ସେବା ଭଳି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଲକ୍ଷ୍ୟ ନିକେତନ ମାଧ୍ୟମରେ ଅଭିଜ୍ଞ ଆଇ.ଏ.ଏସ୍., ଆଇ.ପି.ଏସ୍. ଏବଂ ଅବସରପ୍ରାପ୍ତ ଅଧିକାରୀ ମାନଙ୍କ ଦ୍ୱାରା ମାଗଣା କୋଚିଂ, ସ୍କୁଲ ଏବଂ ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ଶିକ୍ଷା ଅଗ୍ରଗତି ତଦାରଖ ଗଞ୍ଜାମ ୩୬୦ ଆପ ମାଧ୍ୟମରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଠାରୁ ଆରମ୍ଭ କରି ସେମାନଙ୍କର ପରୀକ୍ଷାଫଳ ପର୍ଯ୍ୟନ୍ତ ସବୁକିଛି ଏହି ପୋର୍ଟାଲ ମାଧ୍ୟମରେ ଟ୍ରାକ କରାଯାଇପାରିବ । ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ, ପାନୀୟ ଜଳ, ଶୌଚାଳୟର ପରିଛନ୍ନତା ଏବଂ ଅନ୍ୟାନ୍ୟ ସୁବିଧାର ସ୍ଥିତି କିପରି ଅଛି ତାହା ଅଧିକାରୀମାନେ ତଦାରଖ କରି ଏହି ମୋବାଇଲ୍ ଆପରେ ଲିପିବଦ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି । ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇଥିବା ବିଭିନ୍ନ କାର୍ଯ୍ୟ କେତେ ଦୂର ଆଗେଇଛି, ତାହାର ଡିଜିଟାଲ ରିପୋର୍ଟିଂ ଏଠାରେ କରାଯିବ । ଜନ ସାଧାରଣଙ୍କ ମତାମତ ଏବଂ ବିଭିନ୍ନ ଯୋଜନାର ତୃଣମୂଳ ସ୍ତରରେ ସ୍ଥିତି ଜାଣିବା ପାଇଁ ଏହି ଆପ୍ ମାଧ୍ୟମରେ ସର୍ଭେ କରାଯିବ । ଏହି ଆପର ସଫଳ ଓ ପାରଦର୍ଶୀ ବ୍ୟବହାର ଗଞ୍ଜାମ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ନିତ କରିବ ବୋଲି ଜିଲ୍ଲାପାଳ କୀର୍ତ୍ତି ଭାସନ୍ ଆଶାବ୍ୟକ୍ତ କରିଛନ୍ତି । ଅଧିକାରୀମାନେ ଯେତେବେଳେ କୌଣସି ସ୍କୁଲ, ଅଙ୍ଗନୱାଡି କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବେ ସେମାନଙ୍କୁ ସେହି ସ୍ଥାନରୁ ଗଞ୍ଜାମ ୩୬୦ ଆପ୍ ମାଧ୍ୟମରେ ତଥ୍ୟ ଅପଲୋଡ୍ କରିବାକୁ ହେବ । ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁଶାସନ ଦିଗରେ ଏହା ଏକ ନୂତନ ପ୍ରୟାସ । ଗଞ୍ଜାମ ୩୬୦ ଆପ୍ କିପରି ଡାଉନଲୋଡ୍ କରାଯାଇପାରିବ ଓ ଏହାକୁ କିପରି ବ୍ୟବହାର କରାଯିବ ସମସ୍ତ ବିଷୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.