
ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁୱାର୍ଡସ୍ଥିତ ଦୀନକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦଶମ ସ୍ମାରକୀ ସମାରୋହ -୨୦୨୨ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଅତିଥି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ଚନ୍ଦ୍ର ମୋହନ କାପୁଡିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସଂସଦର ସାଙ୍ଗଠନିକ ସମ୍ପାଦକ ତଥା ରାଜ୍ୟ ସଂସ୍କୃତି, ପର୍ୟ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ରୂପେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ କେଦାରନାଥ ମହାନ୍ତି ଯୋଗଦେଇ ମାଆ ଓ ବାପାଙ୍କ ମଧ୍ୟରେ ଭଗବାନ ବିରାଜ କରୁଥିବାରୁ ସେମାନଙ୍କ ଆଶୀର୍ବାଦ କିପରି ପାଇପାରିବେ, ସେଥିପାଇଁ ଛାତ୍ରଛାତ୍ରୀ ମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ସଂସଦର ଉପଦେଷ୍ଟା ଡାକ୍ତର ମଧୁସୂଦନ ସାହୁ ଓ ଅମୂଲ୍ୟ ପାତ୍ର, ଉପସଭାପତି ବଳରାମ ଦାସ, ଅବସରପ୍ରାପ୍ତ ବାଣିଜ୍ୟ ବିଭାଗ ପ୍ରାଧ୍ୟାପକ ଡ଼ଃ ଗଣେଶ୍ୱର ଭୋଇ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ପ୍ରାମାଣିକ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ, ବିଜୟ କୁମାର ପାତ୍ର, ବିଭୁତି ଭୂଷଣ ପାତ୍ର, ରାଜୀବ ପାତ୍ର, ପରିଚାଳନା କମିଟିର ସଭାପତି ଶିବ ଶଙ୍କର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ସଂସଦର ସମ୍ପାଦକ ଶରତ କୁମାର ଚନ୍ଦ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ଅନନ୍ତ କୁମାର ମହାନ୍ତି ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ । ଏହି ଅବସରରେ ଡ଼ଃ କିଶୋର କୁମାର ଗାନ୍ଧୀ, ଅମିତ କୁମାର ସେଠୀ, ଅରୁଣ କୁମାର ପାତ୍ର, ହରିଶ ଚନ୍ଦ୍ର ମହାନ୍ତ, କାର୍ତ୍ତିକ ଚନ୍ଦ୍ର ଖୁଣ୍ଟିଆ ଓ ଅନନ୍ତ କୁମାର ମହାନ୍ତିଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଡ଼ଃ ରାଖଲ ଚନ୍ଦ୍ର ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।