ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନ ଇତି ମଧ୍ୟରେ ଆରମ୍ଭ ହେବାର ଚାଳିଶ ଦିନ ବିତି ଯାଇଥିବା ବେଳେ ମଙ୍ଗଳବାର ସକାଳୁ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁ ଥିବାର ସୂଚନା ମିଳିଛି । ଗତ ଜୁଲାଇ ୧୧ତାରିଖ ଦିନ ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନର ଶୁଭାରମ୍ଭ କରାଯାଇ କଳାହାଣ୍ଡି ଜିଲ୍ଲାର ୧.୧୮ଲକ୍ଷ୍ୟ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ ରଖାଯାଇଛି । ଖରିଫ ଜଳ ସେଚନ ଆରମ୍ଭ ଦିନ ଜଳଭଣ୍ଡାରର ଜଳ ସ୍ତର ୬୩୩.୧୯ମିଟର ଅର୍ଥାତ୍ ୩୯.୫୯ମିଟର ଜଳ ସଂଗୃହିତ ହୋଇ ରହିଥିଲା, ଯାହାକି ଗତ ବର୍ଷ ତୁଳନାରେ ଛଅ ମିଟର ଅଧିକ ରହିଥିଲା । ଏହି ଚାଳିଶ ଦିନର ଅବଧି ମଧ୍ୟରେ ବର୍ଷାର ପରିମାଣ ମାତ୍ର ୨୭୯ମିଲି ମିଟର ହୋଇଥିବା ସୂଚନାରୁ ପ୍ରକାଶ । ଏଭଳି ସ୍ଥିତିରେ ଜଳ ଭଣ୍ଡାର ୫୦ପ୍ରତିଶତକୁ ଛୁଇଁବା ସହିତ ୬୩୫.୦୫ମିଟରରେ ପହଞ୍ଚିଥିବା କଳାହାଣ୍ଡିର ଚାଷୀଙ୍କ ପାଇଁ ନୂଆ ଆଶା ଓ ଭରଷା ସୃଷ୍ଟି କରିଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୧,୧୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ବର୍ତମାନ ଏହା ୭୫, ୦୫୩ହେକ୍ଟର ମିଟରରେ ପହଞ୍ଚି ଏକ ଅନୁକୂଳ ସ୍ଥିତି ସୃଷ୍ଟି କରିଛି । ଏବେ ଅଞ୍ଚଳରେ କ୍ରମାଗତ ବର୍ଷା ଲାଗି ରହିଥିବା ବେଳେ ସମସ୍ତ କେନାଲ ମାନଙ୍କରେ ଜଳ ସେଚନର ପରିମାଣକୁ କମେଇ ଦିଆଯାଇଥିବା ସୂଚନା ମିଳିଛି ।
