ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ମଧ୍ୟ ଭାଗରେ ରହିଥିବା ଐତିହ୍ୟ ସଂପନ୍ନ କରଙ୍ଗାକଟା ବନ୍ଧର ପୁନଃଉଦ୍ଧାର ଦାବୀରେ ଆଜି ପୌରାଂଚଳର ୭, ୮, ୧୧ ଓ ୧୨ ନମ୍ବର ୱାର୍ଡର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସହରରେ ରହିଥିବା ବନ୍ଧଗୁଡ଼ିକର ପୁନଃଉଦ୍ଧାର ଦିଗରେ ପ୍ରଶାସନିକ ଉଦାସିନତାକୁ ଦୃଷ୍ଟିରେ ରଖି ବଲାଙ୍ଗିର ପୌରାଂଚଳର ବିଭିନ୍ନ ପଡ଼ାରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ବଲାଙ୍ଗିର ଜିଲ୍ଲା କଂଗ୍ରେସର ସଦସ୍ୟମାନଙ୍କ ସହାୟତାରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯାଉଛି । ସହରରେ ରହିଥିବା ବନ୍ଧଗୁଡ଼ିକରୁ ପୂର୍ବରୁ ଲୋକେ ପାଣି ନେଇ ପିଇବା ପାଣି ଭାବେ ବ୍ୟବହାର କରୁଥିବା ବେଳେ ଏବେ ସମସ୍ତ ବନ୍ଧ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇ ପଙ୍କରେ ପୋତି ହୋଇସାରିଛି । ବନ୍ଧଗୁଡ଼ିକରେ ଯାହା ଯେମିତି ପାଣି ରହୁଛି, ତାହା ବ୍ୟବହାର ଉପଯୋଗୀ ନୁହେଁ । ଏଣୁ ତୁରନ୍ତ ବନ୍ଧଗୁଡ଼ିକର ପୁନଃଉଦ୍ଧାର ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଜଳ ସତ୍ୟାଗ୍ରହ ଆନ୍ଦୋଳନ ଜରିଆରେ ଦାବୀ କରାଯାଇଛି ।