
ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡାର ଠିକାଦାର ପ୍ରଶାନ୍ତ ନିଆଲଙ୍କ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ଏବଂ ଗ୍ରାମବାସୀ । ସୂଚନା ଅନୁଯାୟୀ ୮ ତାରିଖ ପ୍ରଶାନ୍ତ ନିଆଲ ଏବଂ ଅନ୍ୟ ୩ ଜଣ ରାୟପୁର ଯାଇଥିଲେ । ରାୟପୁରରୁ ୩ ଜଣ ବେଲପଡ଼ା ଫେରିଆସିଥିବା ବେଳେ ପ୍ରଶାନ୍ତଙ୍କ କୌଣସି ଖୋଜ ଖବର ନଥିଲା । ପରେ ପରିବାର ଲୋକ ପ୍ରଶାନ୍ତଙ୍କ ମୃତଦେହ ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ଆରଙ୍ଗ ରେଳ ଟ୍ରାକ ଉପରେ ପଡିଥିବା ବେଳେ ଆରଙ୍ଗ ପୋଲିସ ଶବକୁ ଜବତ କରି ଗୋଟିଏ ୟୁ ଡି କେସ ନଂ ୫୨/୨୦୨୫ରେ ଏକ ମାମଲା ଋଜୁ କଲା ପରେ ଶବ ବ୍ୟବଚ୍ଛେଦ କରି ଶବର ପରିଚୟ ନପାଇ ୭୨ ଘଣ୍ଟା ପରେ ଶବକୁ ମାଟିରେ ପୋତି ଦେଇଥିବା ଖବର ପାଇଥିଲେ । ଏହାଦେଖି ପରିବାର ଲୋକେ ପ୍ରଶାନ୍ତଙ୍କ ହତ୍ୟା ହୋଇଥିବା ଅଭିଯୋଗ କରିବା ସଙ୍ଗେସଙ୍ଗେ ବେଲପଡା ଥାନା ଘେରାଉ ଏବଂ ରାସ୍ତାରୋକ କରିଥିଲେ । ବେଲପଡା ପୋଲିସ ପୋତାଯାଇଥିବା ଶବକୁ ଆରଙ୍ଗ ପୋଲିସ ସାହାଯ୍ୟରେ ମାଟିଭିତରୁ ବାହାର କରି ପୁଣି ଆଉଥରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପରିବାର ଲୋକ ଶବକୁ ଘରକୁ ଆଣି ଦାହ ସଂସ୍କାର କରିଥିବା ଜଣାପଡିଛି । ଅନ୍ୟପଟେ ଘଟଣାଟି ଛତିଶଗଡ ରାଜ୍ୟ ରାୟପୁର ଜିଲ୍ଲା ଆରଙ୍ଗ ଅଞ୍ଚଳରେ ହୋଇଥିବାରୁ ଆରଙ୍ଗ ପୋଲିସ ଘଟଣାର ତଦନ୍ତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପ୍ରଶାନ୍ତ ନିଆଲ ବେଲପଡା ଅଞ୍ଚଳରେ ଠିକାଦାର ଭାବେ ବେଶ ଜଣାଶୁଣା ତାଙ୍କୁ କିଏ ଏବଂ କଣପାଇଁ ହତ୍ୟା କଲା ତାହା ଛତିଶଗଡ ପୋଲିସ ତଦନ୍ତ କରିବ ନା ଆତ୍ମହତ୍ୟା ଭାବି କେସ୍ ବନ୍ଦ କରିଦେବ ଦେଖିବାକୁ ବାକି ରହିଲା ।