ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣା କଟକ ସ୍ଥିତ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ପୀଠରେ ମଙ୍ଗଳବାର ଦିନ ଷୋହଳ ପୂଜା ବା ଖଣ୍ଡାବସା ପର୍ବ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ସମୟରେ ମା’ଙ୍କ ପାଟଖଣ୍ଡା, ବିଜୟ ପ୍ରତିମା, ଘଣ୍ଟ, ଛତ୍ର ଧରି ବିରାଟ ପଟୁଆର ସହ ସେବକ, ପୂଜାରୀ ଓ ଭକ୍ତକୁ ନେଇ ସହର ପରିକ୍ରମା କରିବା ପରେ ମା’ଙ୍କ ମନ୍ଦିରରେ ପହଞ୍ଚି ଥିଲେ । ଶକ୍ତିପୀଠରେ ୧୬ ଦିନ ପର୍ଯ୍ୟନ୍ତ ଦେବୀଙ୍କୁ ଗୁପ୍ତ ଭାବେ ପୂଜା କରାଯାଇଥାଏ । ଯାହାକି ଅନ୍ୟ କୌଣସି ପୀଠରେ ଦେଖାଯାଇ ନଥାଏ । ରାତ୍ରର ପ୍ରଥମ ପ୍ରହରରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ମା’ଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ହୋଇଥାଏ ।୧୬ ଦିନ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଭକ୍ତଙ୍କ ଚଳପ୍ରଚଳ ନିଷିଦ୍ଧ ଥାଏ । ଏହି ଦିନ ଉକ୍ତ ଅଞ୍ଚଳରେ ପୁଅଙ୍କ ମଙ୍ଗଳ ମନାସୀ ମା’ ମାନେ ପୁଅ ଜିଉଁନ୍ତିଆ କରିଥାନ୍ତି । ଏହି ପର୍ବ ମହିଳାମାନେ ନିସାର୍ଧରେ ସମ୍ପୂର୍ଣ୍ଣ ଉପବାସରେ ମା’ଙ୍କ ପୀଠରେ ଢୋଲ ବାଦ୍ୟ ଶୁଭିଲା ପରେ ପୂଜା ଆରମ୍ଭ ଚରିଥାନ୍ତି । ଦୀର୍ଘ ୧୬ ଦିନ ଧରି ଦେବୀଙ୍କ ଦର୍ଶନ ନିଷେଧ ଥିବାରୁ ନବମୀ ଠାରୁ ଦେବୀଙ୍କ କୃପାଲାଭ କରିବା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାବେଶ ହୋଇଥାଏ । ପ୍ରତିବର୍ଷ ଆଶ୍ୱିନ ମାସରେ ମା’ ଭୈରବୀଙ୍କ ୧୬ ପୂଜା ସ୍ୱତନ୍ତ୍ର ଓ ବିଶେଷ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ । ରାଜାରାଜୁଡା ଅମଳରୁ ଚାଲିଆସିଥିବା ଏହି ୧୬ ପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ । ତା’ ପରଦିନ ଅର୍ଥାତ ନବମୀ ଦିନ ଠାରୁ ମା’ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବିଜୟା ଦଶମୀ ଦିନ ପୀଠରେ ଦଶମୀ ପୂଜାସହ ସାଧାରଣ ଭକ୍ତଙ୍କ ପାଇଁ ସାହଣ ମେଳା ଦର୍ଶନ ହୋଇଥାଏ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.