ppurohit

ଜିଏସଟି ହ୍ରାସ ଦ୍ୱାରା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ୱିତ ହେବ

2nd

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩ ସେପ୍ଟେମ୍ବର ୨୦୨୫ରେ ଆୟୋଜିତ ଜିଏସଟି ପରିଷଦର ୫୬ତମ ବୈଠକରେ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ପାଇଁ ଏକ ସରଳୀକୃତ ଜିଏସଟି ବ୍ୟବସ୍ଥା ଅନୁମୋଦନ କରାଯାଇଛି । ଏହାର ଅଂଶରୂପ, ବିଭିନ୍ନ ପ୍ରମୁଖ ଶିଳ୍ପକ୍ଷେତ୍ରରେ ଉଲ୍ଲେଖନୀୟ ହାର ହ୍ରାସ କରାଯାଇଛି । ଚମଡା, ଜୋତା, କାଗଜ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, ପ୍ୟାକେଜିଂ ଓ ଲଜିଷ୍ଟିକ୍ସ ପରି ଅତ୍ୟାବଶ୍ୟକ ଶିଳ୍ପଗୁଡ଼ିକୁ ଏହି ସଂସ୍କାର ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି । ଅନେକ ସାମଗ୍ରୀରେ ଜିଏସଟି ସ୍ଲାବକୁ ୫%କୁ ହ୍ରାସ କରାଯାଇଥିବା ସହିତ, ପରିବହନ ଓ ଆନୁଷଙ୍ଗିକ କ୍ଷେତ୍ରରେ ହାରଗୁଡ଼ିକୁ ଯୁକ୍ତିସଙ୍ଗତ କରାଯାଇଛି । ଏହି ସଂସ୍କାରଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି—ଗ୍ରାହକଙ୍କ ଉପରେ ଖର୍ଚ୍ଚଭାର ହ୍ରାସ, ବ୍ୟବସାୟୀଙ୍କ ପାଇଁ ଅନୁପାଳନ ପ୍ରକ୍ରିୟାକୁ ସହଜ କରିବା ଏବଂ ଭାରତୀୟ ବ୍ୟବସାୟକୁ ଅଧିକ ପ୍ରତିଯୋଗିତାକ୍ଷମ କରିବା । ଏହି ଜିଏସଟି ସଂସ୍କାର ସଂପର୍କରେ ଆସୋଚାମର ମହାସଚିବ ମନୀଷ ସିଂଘଲ କହିଛନ୍ତି ଯେ, ଯେତେବେଳେ ଉପଭୋଗ ବୃଦ୍ଧି ପାଏ, ଏମଏସଏମଇ ସ୍ତରରେ ଉତ୍ପାଦିତ ଅନେକ ସାମଗ୍ରୀର ଚାହିଦା ମଧ୍ୟ ଅଧିକ ହେବ । ଏହା ସେମାନଙ୍କୁ ଲାଭ ଦେବ କାରଣ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇବ । ଅନ୍ୟପକ୍ଷରେ, ଦୁଇଟି ସ୍ଲାବ୍ ସୃଷ୍ଟି ହେବା ସହିତ, ଏମଏସଏମଇ ଉପରେ ଅନୁପାଳନ ବୋଝ ବହୁତ ହ୍ରାସ ପାଇବ । କେତେକ ପ୍ରମୁଖ କ୍ଷେତ୍ରରେ ହୋଇଥିବା ଜିଏସଟି ହ୍ରାସ ସଂପର୍କରେ ନିମ୍ନରେ ଦିଆଗଲା-
ଚମଡ଼ା ଶିଳ୍ପ :
ଚମଡା ଏବଂ ଜୋତା କ୍ଷେତ୍ର ଭାରତରେ ଏକ ପ୍ରମୁଖ ନିଯୁକ୍ତିଦାତା ଓ ଏହାର ରପ୍ତାନି ଭିତ୍ତି ମଧ୍ୟ ଦୃଢ଼ । ଜିଏସଟି ଯୁକ୍ତିଯୁକ୍ତକରଣ ନିର୍ମାତାଙ୍କ ଉପରେ ବୋଝ ହ୍ରାସ କରିବ ଏବଂ ଉତ୍ପାଦଗୁଡ଼ିକୁ ଗ୍ରାହକମାନଙ୍କ ପାଇଁ ଅଧିକ ସୁଲଭ କରିବ । ଚାମୋଇସ୍ ଚମଡା, ଚମଡା କିମ୍ବା ଚମଡା ଫାଇବର ଆଧାର ସହିତ କମ୍ପୋଜିସନ୍ ଚମଡା ଏବଂ ଟ୍ୟାନିଂ କିମ୍ବା କ୍ରଷ୍ଟିଂ ପରେ ପ୍ରସ୍ତୁତ ଚମଡା ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ପ୍ରତି ଯୋଡ଼ା ୨୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜୋତା ଏବେ କେବଳ ୫% ଜିଏସଟି ଆକର୍ଷିତ କରୁଛି, ଯାହା ଗ୍ରାହକମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବ ।
ଇ-କମର୍ସ, କାଗଜ ଓ ପ୍ୟାକେଜିଂ :
ପ୍ୟାକିଂ କାଗଜ, କେସ୍, କାର୍ଟନ୍, ବାକ୍ସ (କରେଗେଟେଡ୍ କାଗଜ କିମ୍ବା ଅଣ-କରେଗେଟେଡ୍ କାଗଜ କିମ୍ବା କାଗଜ ବୋର୍ଡର) ଏବଂ କାଗଜ ପଲ୍ପ ମୋଲ୍ଡଡ୍ ଟ୍ରେ ଉପରେ ଏବେ ୫% ଜିଏସଟି ଲାଗୁ ହୋଇଛି, ଯାହା ପ୍ରତି ଅର୍ଡର ପ୍ୟାକେଜିଂ ଏବଂ ପରିବହନ ଖର୍ଚ୍ଚ ହ୍ରାସ କରିବ । ଏହା ଲଜିଷ୍ଟିକ୍ସ ଏବଂ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ କରିବ, ଯାହା ଗ୍ରାହକମାନଙ୍କ ପାଇଁ ସାମଗ୍ରୀକୁ ଅଧିକ ସୁଲଭ କରିଥାଏ । ଏହା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟଗୁଡ଼ିକୁ ମଧ୍ୟ ସାହାଯ୍ୟ କରିବ । ଏହା ପ୍ରତି ପରିବହନ ପ୍ୟାକେଜିଂ ଖର୍ଚ୍ଚ ହ୍ରାସ କରିବ ଏବଂ ଇ-କମର୍ସ ପ୍ଲାଟଫର୍ମ ଏବଂ ହୋଲସେଲ୍ ବଜାରରେ ଏମଏସଏମଇ ବିକ୍ରେତାମାନଙ୍କୁ ଲାଭ ଦେବ, ଯେଉଁମାନେ ଗ୍ରାହକମାନଙ୍କ ପାଇଁ ଉନ୍ନତ ମାର୍ଜିନ୍ ଏବଂ ସୁଲଭତା ଲାଭ କରନ୍ତି ।
କାଠ ଉତ୍ପାଦ :
କୃଷିଭିତ୍ତିକ ଏବଂ ପରିବେଶ ଅନୁକୂଳ କାଠ ବିକଳ୍ପଗୁଡ଼ିକ ଉପପେ କମ ଜିଏସଟି ଲାଗୁ ହେବ, ଯାହା ସ୍ଥାୟୀ ଉତ୍ପାଦନ ଏବଂ ଏମଏସଏମଇ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ । ଧାନକୁଣ୍ଡା ତିଆରି ବୋର୍ଡ, ଗ୍ଲାସଫାଇବର ରିଇନଫୋର୍ସଡ୍ ଜିପସମ୍ ବୋର୍ଡ, ସିମେଣ୍ଟ ବଣ୍ଡେଡ୍ ପାର୍ଟିକିଲ୍ ବୋର୍ଡ, ଜୁଟ୍ ପାର୍ଟିକିଲ୍ ବୋର୍ଡ, ବଗାସ୍ ବୋର୍ଡ, ସିସାଲ୍ ଫାଇବର ବୋର୍ଡ, ଇତ୍ୟାଦି ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଏଥିରେ ଭେନିୟରିଂ ପାଇଁ ଚାଦର, ବାଉଁଶ ଫ୍ଲୋରିଂ, ପିପା, ବ୍ୟାରେଲ୍, ଭାଟ୍, କାଠର ଟବ୍ ବି ଅନ୍ତର୍ଭୁକ୍ତ ରହିଛି ।
ହସ୍ତଶିଳ୍ପ କ୍ଷେତ୍ର :
ହସ୍ତଶିଳ୍ପ କ୍ଷେତ୍ର, ଯାହା କାରିଗର ଏବଂ ରପ୍ତାନି ପାଇଁ ଗୁରୁତ୍ୱପୂର୍ଣ୍ଣ, କର ଯୁକ୍ତିଯୁକ୍ତକରଣରୁ ଲାଭ ପାଏ, ପାରମ୍ପରିକ ସାମଗ୍ରୀକୁ ଅଧିକ ସୁଲଭ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିଥାଏ । କାଠ, ପଥର ଏବଂ ଧାତୁରେ ତିଆରି ମୂର୍ତ୍ତି ଉପରେ ଜିଏସଟିକୁ ୧୨%ରୁ ୫%କୁ ହ୍ରାସ କରାଯାଇଛି । ଏହା ଚିତ୍ର, ମୂଳ ଖୋଦନ, ହସ୍ତଶିଳ୍ପ ମହମବତୀ, ଖୋଦିତ କାଠ ଉତ୍ପାଦ, ପାଉଚ୍ ଏବଂ ପର୍ସ ସମେତ ହ୍ୟାଣ୍ଡବ୍ୟାଗ୍, ପଥର କଳା ସାମଗ୍ରୀ, ପଥର ଜଡିତ କାର୍ଯ୍ୟ, ଟେବୁଲ ସାମଗ୍ରୀ ଏବଂ ମାଟି ଏବଂ ଟେରାକୋଟାର ରୋଷେଇ ସାମଗ୍ରୀ ଉପରେ ପ୍ରଯୁଜ୍ୟ । ଏଥିରେ କାଚ ମୂର୍ତ୍ତି, ଲୁହା, ଆଲୁମିନିୟମ, ପିତଳ/ତମ୍ବା ଇତ୍ୟାଦିର କଳା ସାମଗ୍ରୀକୁ ମଧ୍ୟ ଅନ୍ତର୍ଭୁକ୍ତ ।
ମାଲବାହୀ ଯାନ :
ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ ଭାରତର ଲଜିଷ୍ଟିକ୍ସର ମେରୁଦଣ୍ଡ । ଏହି କ୍ଷେତ୍ର ଜିଏସଟି ହ୍ରାସରୁ ଉପକୃତ ହେବ ଯାହାକି ପରିବହନ ଖର୍ଚ୍ଚ ଓ ରପ୍ତାନି ଖର୍ଚ୍ଚ ହ୍ରାସ କରିବ । ମାଲବାହୀ ଯାନ ଉପରେ ଜିଏସଟି ୨୮%ରୁ ୧୮%କୁ ହ୍ରାସ କରାଯାଇଛି । ଏହା ଟ୍ରକ୍ ମାଲିକମାନଙ୍କ ପାଇଁ ଗାଡ଼ି କ୍ରୟ ଖର୍ଚ୍ଚ ହ୍ରାସ କରିବ, ପ୍ରତି ଟନ୍-କିମି ମାଲ ପରିବହନ ହାର ହ୍ରାସ କରିବ । ଏହାର ଏକ କାସ୍କେଡିଂ ପ୍ରଭାବ ପଡ଼ିବ । ଏହା କୃଷି ସାମଗ୍ରୀ, ସିମେଣ୍ଟ, ଇସ୍ପାତ, ଏଫଏମସିଜି ଏବଂ ଇ-କମର୍ସ ବିତରଣର ଶସ୍ତା ପରିବହନକୁ ନେଇଯିବ । ଏହା ମୁଦ୍ରାସ୍ଫୀତି ଚାପକୁ ହ୍ରାସ କରିବ ।
ଫଳ ପନିପରିବା ଓ ଖାଦ୍ୟ ପ୍ରକ୍ରିୟାକରଣ :
ଜିଏସଟି ହ୍ରାସ କୃଷି ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକୁ ଉପକୃତ କରିବ । ଏହା ଶୀତଳଭଣ୍ଡାରକୁ ପ୍ରେତ୍ସାହନ ଦେବ ଓ ଖାଦ୍ୟ ଅପଚୟ ହ୍ରାସ ପାଇବ । ଅଧିକାଂଶ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ୫% କିମ୍ବା ଶୂନକୁ ହ୍ରାସ କରିବା ଦ୍ୱାରା ଚାଷୀଙ୍କଠାରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଖୁଚୁରା ବ୍ୟବସାୟୀଙ୍କଠାରୁ ରପ୍ତାନିକାରୀ ପର୍ଯ୍ୟନ୍ତ ସମଗ୍ର ଖାଦ୍ୟ ପ୍ରକ୍ରିୟାକରଣ ମୂଲ୍ୟ ଶୃଙ୍ଖଳା ସୁଦୃଢ଼ ହେବ । ପ୍ରସ୍ତୁତ ଏବଂ ସଂରକ୍ଷିତ ପନିପରିବା, ଫଳ ଏବଂ ବାଦାମ ଉପରେ ୫% (୧୨%ରୁ କମ) ଜିଏସଟି ଲାଗୁ ହୋଇଛି । ଏହା ଶୀତଳ ସଂରକ୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧିରେ ନିବେଶକୁ ଉତ୍ସାହିତ କରିବ ତଥା ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଉତ୍ତମ ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବ ଏବଂ ନଷ୍ଟ ହେଉଥିବା ଜିନିଷର ଅପଚୟ ହ୍ରାସ କରିବ । ଏହା ମଧ୍ୟ ରପ୍ତାନିକୁ ପ୍ରେତ୍ସାହନ ଦେବ ।
ବୟନ ଶିଳ୍ପ :
ଜିଏସଟି ହ୍ରାସ ଦ୍ୱାରା ବୟନ ଶିଳ୍ପର ସମଗ୍ର ମୂଲ୍ୟ ଶୃଙ୍ଖଳା ଉପକୃତ ହେବ ଯାହାକି ଚାହିଦା ବୃଦ୍ଧି କରିବ, ଖର୍ଚ୍ଚ ହ୍ରାସ କରିବ ଓ ରପ୍ତାନି ବୃଦ୍ଧି କରିବ । ମାନବ ନିର୍ମିତ ତନ୍ତୁ (ଏମ୍‌ଏମ୍‌ଏଫ୍‌) ଜିଏସଟି ୧୮% ରୁ ୫%କୁ ହ୍ରାସ କରାଯାଇଛି । ମାନବ ନିର୍ମିତ ସୂତା ୧୨%ରୁ ୫%କୁ ହ୍ରାସ କରାଯାଇଛି ।
ଖେଳନା ଓ କ୍ରୀଡ଼ା ସାମଗ୍ରୀ :
ଶିଶୁ ବିକାଶ ଏବଂ ଏମଏସଏମଇ କ୍ଷେତ୍ର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଖେଳଣା ଶିଳ୍ପ ଜିଏସଟି ହ୍ରାସରୁ ଉପକୃତ ହେବ । ଖେଳଣା ଏବଂ କ୍ରୀଡା ସାମଗ୍ରୀ ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରାଯାଇଛି । ଏହା ଖେଳଣାଗୁଡ଼ିକୁ ଅଧିକ ସୁଲଭ କରବ ।
ଉପସଂହାର
ଚମଡା, ଜୋତା, ଇ-କମର୍ସ, ବୟନଶିଳ୍ପ, ହସ୍ତଶିଳ୍ପ, ଖେଳଣା, କୃଷି-ପ୍ରକ୍ରିୟାକରଣ ଏବଂ ଲଜିଷ୍ଟିକ୍ସ ଭଳି ଶିଳ୍ପରେ ହାର ହ୍ରାସ କରି ସରକାର ଅନୁପାଳନ ଖର୍ଚ୍ଚ ହ୍ରାସ କରିଛନ୍ତି । ଗ୍ରାହକମାନଙ୍କ ପାଇଁ ସାମଗ୍ରୀଗୁଡ଼ିକ ସୁଲଭ ହୋଇଛି ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଲାଭ ଉନ୍ନତ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ କେବଳ ବ୍ୟବସାୟ କରିବାର ଖର୍ଚ୍ଚକୁ ସହଜ କରିବ ନାହିଁ ବରଂ ରପ୍ତାନିକୁ ପ୍ରୋତ୍ସାହିତ କରିବ, କାରିଗର ଏବଂ କୃଷକମାନଙ୍କୁ ସମର୍ଥନ କରିବା ଏବଂ ପରିବେଶ ଅନୁକୂଳ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ।

Leave A Reply

Your email address will not be published.