ରାଜେନ୍ଦ୍ର କଲେଜ ପ୍ଲାଟିନମ ଗେଟ୍‌ ଭଙ୍ଗା ଘଟଣା : ସିସିଟିଭି ଭିଡିଓ ଜାରି କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବ୍‌ଲି ଗେଟ୍‌ ତଥା ରାଜେନ୍ଦ୍ର ୟୁନିଭର୍ସିଟିର ମାଷ୍ଟର ପ୍ଲାନ ଫଳକ ଭଙ୍ଗା ଘଟଣାରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏକ ସିସିଟିଭି ଭିଡିଓ ଜାରି କରିଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦଙ୍କ ନେତୃତ୍ୱରେ ଛାତ୍ରମାନେ ବଲାଙ୍ଗିର ଆଦର୍ଶ ଥାନା ଅଧିକାରୀ ସଂଗ୍ରାମ କେଶରୀ ନାୟକଙ୍କୁ ଦେଖା କରି ଏ ଘଟଣା ସଂପର୍କରେ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ଗତ ରାତିରେ ହଠାତ ଦୁଇ ଜଣ ବାଇକ ଚାଳକ ପ୍ଲାଟିନମ ଜୁବଲି ଗେଟ୍‌ ପାଖକୁ ପହଞ୍ଚି ଗେଟ୍‌କୁ ଟେକା ମାରୁଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି । ପୋଲିସ ସିସଟିଭି ଯାଞ୍ଚ କରି ଦୁବୁର୍ତ୍ତମାନଙ୍କୁ ଧରିବା ସହ ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବୀ କରିଛି । ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ସିସିଟିଭି ଭିଡିଓ ପୋଲିସକୁ ପ୍ରଦାନ କରାଯାଇଛି । ଉକ୍ତ ଭିଡିଓରେ ଦୁଇ ଜଣ ବାଇକ ଆରୋହୀ ଏକ ଲାଲ ରଙ୍ଗର ବାଇକରେ ଷ୍ଟାଡିଅମ ପଟୁ ଆସି ଗେଟ୍‌ ସାମାନାରେ ଛିଡା ହୋଇଥିଲେ । ପରେ ପରେ ସେମାନେ ଟେକା ଗୋଟାଉ ଥିବା ଦେଖିବାକୁ ମିଳିଛି । ତେବେ ଏହି ଯୁବକମାନେ ହିଁ ଗେଟ୍ ଓ ମାଷ୍ଟର ପ୍ଲାନ ଫଳକ ଭଙ୍ଗାରୁଜା କରିଥିବା ଦଳ ତରଫରୁ ଅନୁମାନ କରାଯାଉଛି । ତେବେ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଏହି ଘଟଣାର ତୁରନ୍ତ ଅନୁସନ୍ଧାନ କରାଯାଇ ଦୋଷୀ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.