କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ, ନାଳ ଗୁଡ଼ିକରେ ଥିବା ବଉଳା କୁମ୍ଭୀର ଗୁଡିକୁ ଗଣନା କରାଯିବ । ସୋମବାର ଠାରୁ ୩ ଦିନ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ । କୁମ୍ଭୀର ବିଶେଷଜ୍ଞ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । କୁମ୍ଭୀର ଗଣନା ପାଇଁ ୨୨ ଟିମ୍ ପ୍ରସ୍ତୁତ କରାଯାଇଛି । ପ୍ରତି ଟିମ୍ରେ ୪ରୁ ୫ ଜଣ ସଦସ୍ୟ ସାମିଲ ହୋଇଛନ୍ତି । ରାଜନଗର ବନଖଣ୍ଡର ୪ଟି ରେଞ୍ଜ କନିକା, ଡାଙ୍ଗମାଳ, ଗହୀରମଥା ଓ ମହାକାଳପଡ଼ା ଅଞ୍ଚଳରେ ଗଣନା କରାଯିବ । ଏଥିପାଇଁ ଜାନୁଆରୀ ୪ ଓ ୫ ତାରିଖ ଦୁଇ ଦିନ ଧରି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ହୁଲି ଡଙ୍ଗାରେ ଗଣନାକାରୀମାନେ ରାତିରେ ସ୍ପଟଲାଇଟି ମାଧ୍ୟମରେ ଗଣନା କରିବେ । ତେବେ ଚଳିତ ବର୍ଷ ପ୍ରଥମ କରି ମୋବାଇଲ ଆପ୍ ସାହାଯ୍ୟରେ ଗଣନା କରାଯାଉଛି । ଗତବର୍ଷ ଭିତରକନିକାରେ ୧୭୬୮ କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଥିଲା । କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ୧୦ଦିନ ପାଇଁ ବନ୍ଦ ରହିଛି ।
Prev Post