ମାଓ ଭୟରେ ଚାଲିଛି ଫିଲ୍ମ୍‌ ସୁଟିଂ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚଳଚ୍ଚିତ୍ର ମଧ୍ୟରେ ବେଶ ଭିନ୍ନ ଭାବେ ବାରି ହୋଇପଡେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର । କେବଳ ଜଣେ ସଫଳ ନିର୍ଦ୍ଦେଶକ ନୁହେଁ ବରଂ ଜଣେ ସଫଳ ଅଭିନେତା ଭାବେ ପରିଚୟ ସୃଷ୍ଟି କରିଥିବା ଏହି ବ୍ୟକ୍ତି ହେଉଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ, ପ୍ରଯୋଜକ ତଥା ଲେଖକ ସବ୍ୟସାଚୀ ମହାପାତ୍ର । ନିଜ ଭାଇମାନଙ୍କ ସହ ମିଶି ସେ ନିଜର ଏକ ଘରୋଇ ପ୍ରଯୋଜନା ଆରମ୍ଭ କରି ହୋମ ପ୍ରଡକ୍ସନରେ ସେ ‘ଭୁଖା’, ‘ଶଲାବୁଢା’ ସିରିଜ, ‘ଆଦିମ ବିଚାର’, ‘ପାହାଡର ଲୁହ’ ଭଳି ସିନେମା ପ୍ରଯୋଜନା କରିଥିଲେ । ସେଥି ମଧ୍ୟରୁ ଭୁଖା ଚଳଚ୍ଚିତ୍ର ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇ ଇତିହାସ ରଚିଥିଲା । ଏଭଳି ଚଳଚ୍ଚିତ୍ର ନିର୍ମାଣ କରି ସେଥିରେ ଦେଖାଇଛନ୍ତି ଆଦିବାସୀ ଜନଜୀବନର ବ୍ୟଥାକୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳର ବିଭିନ୍ନ ଜାଗାରେ “ରାଣ୍ଡି ପୁଅ ଅନନ୍ତା”ର ସୁଟିଂ ଚାଲିଛି । ଖପ୍ରାଖୋଲର କିଛି ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀ ଗତିବିଧି ଚାଲୁ ଥିବାରୁ ବହୁ ସତର୍କତାର ସହ ସୁଟିଂ ଜାରି ରହିଥିବା ଜଣାପଡିଛି । ତେବେ ଫିଲ୍ମର ସୁଟିଂ ପ୍ରାୟ ୨୫ ଦିନ ଧରି ଖପ୍ରାଖୋଲ ଅଞ୍ଚଳରେ ସୁଟିଂ ହେବ । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଓଲିଓଡ଼ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ୭୦ ଜଣିଆ ଟିମ୍‌କୁ ନେଇ ଫିଲ୍ମର ସୁଟିଂ କରୁଛନ୍ତି । ଆଜି ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା ଯେ ସୁଟିଂ କରୁଥିବା କିଛି ବ୍ୟକ୍ତି ବିଶେଷଙ୍କୁ ମାଓବାଦୀଙ୍କ ଭୟ ଲାଗିଛି ବୋଲି ତାହା ସତ ନା ମିଛ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହି ଗୁଜବକୁ କିଛି ଲୋକ ଫିଲ୍ମର ଲୋକପ୍ରିୟତା ବଢେଇବାର ଷ୍ଟଣ୍ଟ ବୋଲି କହୁଥିବା ବେଳେ କିଛି ଲୋକ ଅନ୍ୟ କିଛି କହୁଛନ୍ତି । କିନ୍ତୁ ଯାହା ହେଉନା କାହିଁକି ଫିଲ୍ମର ସୁଟିଂ ଦେଖିବାକୁ ଅଞ୍ଚଳବାସୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!