କେନ୍ଦ୍ରାପଡ଼ା : ମେଲଣ ସାରି ଫେରୁଥିବା ବେଳେ ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଘଟିଛି ଏହି ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରେ ଦୋଳ ବିମାନକୁ ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେବା ଫଳରେ ବିମାନ କାନ୍ଧେଇ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ବଣହରା ଗାଁର ଜୟନ୍ତ କୁମାର ଦାସଙ୍କ ଦୋଳ ବିମାନ ବାଲିଆ ମେଳଣ ସାରି ଦୁହୁରିଆ ମେଳଣରେ ଯୋଗଦେବାକୁ ଆସୁଥିଲେ । ଦୁହୁରିଆ ମେଳଣରୁ କିଛି ଦୂରରେ କଟକ ଆଡ଼ୁ ଆସୁଥିବା ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ବିମାନକୁ ପଛ ପଟୁ ଧକ୍କା ଦେଇଥିଲା । ବିମାନଟି ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି । ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।