ଜାତୀୟ ରାଜପଥରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା : ୧ ମୃତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମ.ରାମପୁର ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥ ମ, ରାମପୁର ଥାନା ଯୋରାଡୁବୁରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିଲା ସୂଚନା ଅନୁସାରେ କୋଇଲା ବୋଝେଇ ଟ୍ରକ୍‌ (ଗାଡ଼ି ନମ୍ବର ଆର୍ ଜେ ୦୨ ଜିବି ୮୧୭୨) ନିଜ ଲେପ୍ଟ ସାଇଟ୍‌ରେ ଛିଡା ହୋଇଥିବା ବେଳେ ଅମାଠ ଛକ ପଟୁ ଆଜି ସକାଳ ୪ଟା ସମୟରେ ଆସୁଥିବା ବିଦେଶୀ ମଦ ବୋଝେଇ ଟ୍ରକ୍‌ (ଗାଡ଼ି ନମ୍ବର ଓଆର୍ ୧୫ ଏନ୍ ୯୬୨୧) ଆସି ଛିଡା ହୋଇଥିବା ଟ୍ରକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବିଦେଶୀ ମଦ ବୋଝେଇ ଟ୍ରକ୍‌ ଚାଳକ ରଣଜିତ ପ୍ରଧାନ ଚାପି ହୋଇଥିଲେ । ଏ ଖବର ପାଇ ମ.ରାମପୁର ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ, ଏସ୍‌ଆଇ ସିରାଜ୍ କୁମାର ପାଢ଼ୀ, ମ.ରାମପୁର ଦମକଳ ବାହିନୀ ଘଟଣାସ୍ଥଳରେ ସଦଳବଳେ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରକ୍‌ଟିକୁ କାଢିବା ପାଇଁ ଚେଷ୍ଟା କରି ଟ୍ରକ୍ ଚାଳକଙ୍କୁ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କରି ମ. ରାମପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚାଳକଙ୍କ ଟ୍ରକ୍ ମାଲିକ ଓ ପରିବାର ବର୍ଗଙ୍କୁ ପୋଲିସ ଖବର ଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.