ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରି କିଛି ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ସମସ୍ୟା ତଥା ନିଜ ପରିବାରର ସମସ୍ୟାକୁ ପଛରେ ପକାଇ ଅନବରତ ଭାବେ ଲୋକଙ୍କ ସେବା କରି ଆସିଛନ୍ତି । ଏହି ସେବାକାର୍ୟ୍ୟ କରିବା ସମୟରେ ନିଜେ ମଧ୍ୟ ଏହି କରୋନା ନାମକ ଭୂତାଣୁ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ, ପୋଲିସ ବିଭାଗର କାର୍ୟ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଏପରି ଅନେକ ବିଭାଗର କର୍ମଚାରୀ ଅଛନ୍ତି, ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଏହା ତାଙ୍କ କାର୍ୟ୍ୟ ତୁଳନାରେ କମ୍ ହେବ । ଏପରି ଗୋଟିଏ ବିଭାଗ ଅଛି ଗଣମାଧ୍ୟମ, ଏହି ବିଭାଗର କାର୍ୟ୍ୟ କରୁଥିବା ବ୍ୟକ୍ତିମାନେ ଘରେ ରହି କାର୍ୟ୍ୟ କରିବା କେବେ ବି ସମ୍ଭବପର ନୁହେଁ । ଏଥିପାଇଁ ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବରେ ବିବେଚନା କରି ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନାକୁ ପରାସ୍ତ କରି ସାରିଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପର୍ୟ୍ୟାୟ କ୍ରମେ ସମ୍ବର୍ଦ୍ଧିତ କରାଯାଉଛି । କିଛି ଦିନ ପୁର୍ବରୁ ନିଜ କାର୍ୟ୍ୟ କରୁଥିବା ସମୟରେ ବରଗଡ଼ ପ୍ରମେୟ ଖବରକାଗଜ ଜିଲ୍ଲା ପ୍ରତିନିଧି ଲଲାଟେନ୍ଦୁ ଦାଶ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋମ୍ ଆଇସୋଲେସନରେ କିଛି ଦିନ ରହି ଚିକିତ୍ସିତ ହେବାପରେ ପୁଣିଥରେ ନିଜ କାର୍ୟ୍ୟରେ ଯୋଗଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ବରଗଡ଼ ସହରରେ ଥିବା ବଟେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ଲଲାଟେନ୍ଦୁ ଦାଶଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରଗଡ଼ ନିତିଦିନ ଜିଲ୍ଲା ପ୍ରତିନିଧି ବଦ୍ରିପ୍ରସାଦ ସାହୁ, ବଡ଼ ଖବର ଜିଲ୍ଲା ପ୍ରତିନିଧି ରମଣୀ ରଂଜନ ବେହେରା, ନକ୍ଷତ୍ର ଜିଲ୍ଲା ପ୍ରତିନିଧି ଧୃବ କର୍ମୀଙ୍କ ସହିତ ଅରଗସ୍ ବ୍ୟୁରୋ ଚିଫ୍‌ ମଳୟ ଭୋଇଙ୍କ ସହିତ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ରହି ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.