ନରସିଂହଙ୍କ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନ : ଧାନ ଅମଳ ବେଶୀ, କିନ୍ତୁ କିଣିବା ଟାର୍ଗେଟ କମ୍ : ସରକାରଙ୍କ ଅଜବ ନୀତି ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକା ଧାନକିଣା କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏ ଅଂଚଳର ଚାଷୀଙ୍କ ଧାନ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଖାଦ୍ୟ ନିଗମ ଦୀର୍ଘ ସମୟ ଧରି କିଣୁଥିଲା । କିନ୍ତୁ କିଛି ବର୍ଷ ହେଲା ମାନ୍ୟବର ହାଇକୋର୍ଟଙ୍କ ଆଦେଶକୁ ଅବମାନନା କରାଯାଉଛି । ଫଳରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ସରକାରଙ୍କ ଭୁଲ ଧାନକିଣା ନୀତି ଯୋଗୁଁ ବିକ୍ରି ନ ହୋଇ ହଜାର ହଜାର ବସ୍ତା ମଣ୍ଡିରେ ପଡି ରହିଛି । ଏ ସବୁ ସମସ୍ୟା ସ୍ଥାନୀୟ ଲୋକଙ୍କଠୁ ଶୁଣି ଶ୍ରୀ ମିଶ୍ର ଏହି ଗସ୍ତରେ ଡିଆରସିଏସ୍ ପ୍ରଦୀପ ମହାପାତ୍ର, ଏଆରସିଏସ୍ ଅନନ୍ତ କୁମାର ନାଏକଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେଠାରେ ଜଣା ଯାଇଥିଲା ଯେ, ଏହି ଅଂଚଳର ସମସ୍ତ ଜମି ଆକଳନ କଲେ ଏହା ୧୫୦୦ ହେକ୍ଟରରୁ ଅଧିକ ହେବ । କିନ୍ତୁ ରେଜିଷ୍ଟ୍ରିଭୁକ୍ତ ଚାଷୀ ସଂଖ୍ୟାକୁ ହିସାବ କଲେ ୪୦ହଜାର କ୍ୱିଣ୍ଟାଲ ଧାନ ସ୍ଥାନୀୟ ସମବାୟ ସମିତି ଚାଷୀଙ୍କଠୁ କିଣିବା କଥା । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ସରକାରଙ୍କ ଅଜବ ନୀତି ଯୋଗୁଁ ଧାନ କିଣିବା ଟାର୍ଗେଟ କେବଳ ୧୯ହଜାର କ୍ୱିଣ୍ଟାଲ ଦିଆଯାଇଛି ଏବଂ ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଧାନ କିଣା ଦୈନିକ ହାରାହାରି ୧୫୦୦ କ୍ୱିଣ୍ଟାଲ ହେବା ଜାଗାରେ ମାତ୍ର ଦୈନିକ ୫୦୦ରୁ ୬୦୦ କ୍ୱିଣ୍ଟାଲ ଧାନ ମଣ୍ଡିରୁ ଉଠୁଛି ।
ଶ୍ରୀ ମିଶ୍ର ଏ ବାବଦରେ ସରଜମିନ ତଦନ୍ତ କଲା ପରେ ଜଣାପଡିଛି ଯେ, ପେକ୍ସକୁ ଧାନ ଆସିଲା ପରେ ମଣ୍ଡିକୁ ମିଲ୍ ମାଲିକ ଟ୍ରକ ପଠାଉ ନ ଥିବାରୁ ଧାନ କିଣା କମି ଯାଉଛି । ତେଣୁ ଶ୍ରୀ ମିଶ୍ର ଚାଷୀଙ୍କ ଧାନକିଣା କ’ଣ ମିଲ୍ ମାଲିକଙ୍କ ଦୟାରେ ଚାଲିବ ବୋଲି ଉପସ୍ଥିତ ଥିବା ଡିଆରସିଏସ୍ଙ୍କୁ କ୍ଷୋଭର ସହ ପ୍ରଶ୍ନ କରିଥିଲେ । ତା’ ସହିତ ଆଜି ପର୍ଯ୍ୟନ୍ତ ମାତ୍ର ୨୫୪ଜଣ ଚାଷୀଙ୍କଠୁ ଧାନକିଣା ସରିଥିବା ସ୍ଥଳେ ବାକି ୨୦୦ ଚାଷୀଙ୍କ ଧାନ କେବେ କିଣାଯିବ, ସେହି ପ୍ରଶ୍ନ ଉତ୍ତର ଡିଆରସିଏସ୍ ଏବଂ ସମବାୟ ସମିତି ପାଖରେ ନ ଥିଲା । ତେଣୁ ଶ୍ରୀ ମିଶ୍ର ତତ୍କ୍ଷଣାତ ମିଲିଂ ପାଇଁ ଅନୁମତି ପାଇଥିବା ଦୁଇଜଣ ମିଲ ମାଲିକଙ୍କୁ ଧାନକିଣା କେନ୍ଦ୍ରରୁ ହିଁ ଫୋନ କରି ତାଙ୍କ ଧାର୍ଯ୍ୟ ମୁତାବକ ଟ୍ରକ ପଠାଇ ଧାନ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ଚାଲିଥିବା ସମସ୍ତ ବ୍ୟବସ୍ଥା ସମାଧାନ ପାଇଁ ଏ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ ଏବଂ ଏହା ମଧ୍ୟ ସେ କହି ଚେତେଇ ଦେଇଥିଲେ ଯେ, ଯଦି ଆଗଲପୁର ଅଂଚଳର ଧାନକିଣା ସମସ୍ୟା ତୁରନ୍ତ ସମାଧାନ ନ ହୁଏ ତେବେ ଚାଷୀ ଆନ୍ଦୋଳନମୁହାଁ ହେଲେ ସରକାର ଦାୟୀ ରହିବେ । ଧାନକିଣାରେ ଯେମିତି କୌଣସି ପ୍ରକାର କଟ୍ନି ଛଟ୍ନି ନହୁଏ ସେ ଉପରେ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।