ଦିବଙ୍ଗତ ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତି ଚାରଣ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାସ୍ତବରେ ସାଥୀ କେବେ ସାଥୀକୁ ଭୁଲିପାରେ ନାହିଁ । ସେହିପରି ସଦ୍‌ଗୁରୁ ମଧ୍ୟ ଛାତ୍ରର ଦୁଃଖ କେବେ ସହ୍ୟ କରିପାରନ୍ତି ନାହିଁ । ଏକଥା ଗଡମୋଟରୀ ନୋଡାଲ ସ୍କୁଲ୍‌ର ଦିବମ୍‌ଗତ ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆ (ଶିକେରା ସାର୍)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଘୋରଡିଆ ଠାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରୁ ଜଳ ଜଳ ଜଣାପଡୁଥିଲା । ସ୍ଵର୍ଗତ ଧାଉଡିଆଙ୍କ ବାଲ୍ୟକାଳର ଅନ୍ତରଙ୍ଗ ସାଥୀ ଶିକ୍ଷକ ସୁରେନ୍ଦ୍ର ନାୟକଙ୍କ କୋହସିକ୍ତ ହୃଦୟର ବିଗତ ଦିନର ଧାଉଡିଆଙ୍କ ସଂଘର୍ଷମୟ ଓ କଷ୍ଟ ଲବ୍ଧ ଜୀବନର ସ୍ମୃତି ବର୍ଣ୍ଣନା ଓ ଗୁରୁ ଗୋବିନ୍ଦ ସାମନ୍ତରାୟଙ୍କ ଶୋକସିକ୍ତ କଣ୍ଠରୁ ଛାତ୍ର ସ୍ୱର୍ଗତ ଧାଉଡିଆଙ୍କ ଉତ୍ତମ ଆଚରଣ ସମ୍ବନ୍ଧୀୟ କାର୍ୟ୍ୟାବଳୀ ଉପସ୍ଥାପନା ସଭାରେ ଆବେଗମୟ ପରିବେଶ ସୃଷ୍ଟି କରିଥିଲା । ଶିକ୍ଷାବିତ୍ ରମେଶ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅବସରପ୍ରାପ୍ତ ବର୍ଷୀୟାନ ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ବଳିୟାର ସିଂହ, ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା, ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ ଦାସ, ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ମିଟୁ କିଶୋର ପ୍ରଧାନ, ପ୍ରଧାନ ଶିକ୍ଷକ ରମେଶ ଦାଶ, ପୂର୍ବତନ ସିଆର୍‌ସିସି ସର୍ବେଶ୍ୱର ଭୁଜବଳ, ରମେଶ ପ୍ରଧାନ, ସିଆର୍‌ସିସି ବସନ୍ତ ସେଠୀ, ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ସୂର୍ୟ୍ୟ ନାରାୟଣ ସେଠୀ, ଅଭୟ ରଥ, ଅଭୟ ଚରଣ ସାହୁ, ଫକିର ଦାସ, ଅଭିମନ୍ୟୁ ସିଂ, ଦୁର୍ଗାକେଶରୀ ପରିଡ଼ା, ଦିଲ୍ଲୀପ ନାୟକ, ଅବସରପ୍ରାପ୍ତ ଶିକ୍ଷକ ଶରତ ସିଂ, ସମାଜସେବୀ ଦିଲ୍ଲୀପ ଧାଉଡିଆ, ସ୍ଥାନୀୟ ବୁଦ୍ଧିଜୀବୀ, ଯୁବବନ୍ଧୁ ଓ ଅନ୍ୟ ମାନେ ଯୋଗଦେଇ ତାଙ୍କର ଶୈକ୍ଷିକ ଓ ସଂଘୀୟ ଦକ୍ଷତା, ସାମାଜିକତା, ପରୋପକାରିତା, ସୁଶିକ୍ଷାଦାନ, ସମଦୃଷ୍ଟି ଭାବ, ଛାତ୍ର ବତ୍ସଳତା, ସୁବ୍ୟବହାର ସବୁଦିନ ପାଇଁ ଛାତ୍ର ଓ ଶିକ୍ଷକ ସମାଜରେ ମନେ ରହିଥିବ ଓ ତାଙ୍କର ସୁମହତ କାର୍ୟ୍ୟ ପାଇଁ ସେ ମରି ବି ଜନ ମାନସରେ ଚିରକାଳ ଅମର ରହିଥିବେ ବୋଲି ପ୍ରକାଶ କରିଥିଲେ । ମୁଖ୍ୟତଃ ଚିର ସାଥୀ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାୟକ, ସ୍ଵର୍ଗତ ଧାଉଡିଆଙ୍କ ଘନିଷ୍ଠ ସାଥୀ ଲକ୍ଷ୍ମଣ ସାହୁ, ଶିକ୍ଷକ ଦିଲ୍ଲୀପ ବେହେରା, ଦୁର୍ଗାକେଶରୀ ପରିଡ଼ା ଓ ଭାତୃ ବର୍ଗ କାର୍ୟ୍ୟକ୍ରମର ଆୟୋଜନ ଓ ସୁପରିଚାଳନା କରିଥିଲେ । ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷକ ତଥା ପ୍ରବଚକ ସୁଧୀର ଜେନା । ପତ୍ନୀ କୁନ୍ତଳା ବିଶ୍ୱାଳ ଓ ଧାଉଡିଆଙ୍କ ଭାତୃବର୍ଗ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ୱର୍ଗତ ଧାଉଡିଆଙ୍କ ପୁତ୍ର ଆଦିତ୍ୟ ଓ କନ୍ୟା ଦେବସ୍ମିତାକୁ ଗୁରୁଜୀମାନେ ଆଶୀର୍ବାଦ କରିଥିଲେ ।

Leave A Reply

Your email address will not be published.