ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସୁପରିଚିତ ଫାଇନ ଆର୍ଟ ‘ଚିତ୍ରକଳା କେନ୍ଦ୍ର’ର ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଦିନ ଉଦଘାଟିତ ହୋଇଛି । ଆଜିର ଉଦଘାଟନ ଉତ୍ସବରେ ପୂର୍ବତନ ସ୍କୁଲ ଡିଆଇ ଶ୍ରୀମତୀ ରଶ୍ମିବାଳା ରାଉତରାୟ ମୁଖ୍ୟ ଅତିଥି, ୱାଇ.ଏମ୍.ଏଫ୍.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଓ ସ୍ୱତନ୍ତ୍ର ଅତିଥି ଭାବେ ଅବତାର ଫିଲ୍ମର ଲିଡ଼ ଆନିମେଟର ମନ୍ଦୀପ ସିଂହ ଯୋଗ ଦେଇ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ । କଳାକେନ୍ଦ୍ରର ପ୍ରିନସିପାଲ ଦେବେନ୍ଦ୍ର ମହାରଣା ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ସେମାନଙ୍କ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ସ୍ୱର୍ଗତ ଅଭିଳାଷ ନାୟକଙ୍କ ସ୍ମୃତିରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଆସନ୍ତାକାଲି ଉଦଯାପନୀ ଦିବସ ପାଳିତ ହେବ । ପ୍ରଦର୍ଶନୀକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆସି ଭ୍ରମଣ କରିବା ସହ ପ୍ରଶଂସା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବାସନ୍ତୀ ମହାରଣା, ଉଷା ରାଣୀ ଶତପଥୀ, ଦେବିଶ୍ମିତା ବେହେରା, ଲଭଲି ଘୋଷ, ରଶ୍ମିରେଖା ବିଶ୍ୱାଳ, ମାଧୁରୀ ପ୍ରଧାନ, ସବିତା ବସା, କେ. ବିଜୟ ଭାସ୍କର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରିନସିପାଲ ଦେବେନ୍ଦ୍ର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post