ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସାଧାରଣ ବୈଠକ

  • ତୀବ୍ର ହେବ ଡିଜିଟାଲ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅମଲା ଭବନ ଠାରେ ବଲାଙ୍ଗିର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଙ୍ଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଚଉଦ ଗୋଟି ବ୍ଲକର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଯୋଗ ଦେଇଥିଲେ । ବିଗତ ଦିନରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଦଶଦିନ ବ୍ୟାପି ବିଶାଳ ଗଣ ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀ ସିଧାସଳଖ ସଙ୍ଘର ରାଜ୍ୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିଲେ । ଖୁବ ଶୀଘ୍ର ଉଚ୍ଚସ୍ତରୀୟ କମିଟି ଗଠନ ପୂର୍ବକ ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ କରାଯିବ, ଛଟେଇ ବନ୍ଦ କରି ନିୟମିତ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶୃତି ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି । ଦଶନ୍ଧି ଦଶନ୍ଧି ଧରି କାର୍ଯ୍ୟରତ ରାଜ୍ୟର ହଜାର ହଜାର କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତିକୁ ଭରସା କରି ରହିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଡିଜିଟାଲ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆଜିର ବୈଠକରେ ମହାସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ବିଭାଗର ନେତୃତ୍ୱମାନେ ପ୍ରତ୍ୟେକ କର୍ମଚାରୀଙ୍କୁ ସକ୍ରିୟ କରାଇ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ଦାବି ଗୁଡିକୁ ଉପସ୍ଥାପନ କରାଇବେ ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ ବଲାଙ୍ଗିର ଠାରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମକୁ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏବଂ ଶାସକ ଦଳ ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଭେଟି ଜିଲ୍ଲା ସଙ୍ଘ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି ରାଜେଶ ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ବୈଠକକୁ ଜିଲ୍ଲା ସମ୍ପାଦକ ଚଞ୍ଚଳ ମିଶ୍ର ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ସଙ୍ଘର ଉପସଭାପତି ଦିଲ୍ଲୀପ ସାହୁ, କାର୍ଯ୍ୟକାରୀ ସମ୍ପାଦକ ଆଶୁତୋଷ ବେହେରାମାଳୀ, ମେଡ଼ିଆ କୋଅର୍ଡିନେଟର ଅଭିଳାଷ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର କୁମାର ନାଏକ, ଲକ୍ଷ୍ମଣ ସାହୁ, ରିତେଶ ସାହୁ, ବିଜୟ ମିଶ୍ର, କୋଷାଧ୍ୟକ୍ଷ ଶିଶିର ଷଡ଼ଙ୍ଗୀ, ସ୍ଵପ୍ନେଶ୍ଵର ମିଶ୍ର, ରଶ୍ମି ରଂଜନ ହୋତା, ସତ୍ୟାନନ୍ଦ ସେଠ, ସରୋଜ ଦେହେରୀ, ମନୋଜ ବେହେରା ସମେତ ଶତାଧିକ ସଙ୍ଘ କର୍ମଚାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.