oum

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ, ଜିଲ୍ଲାର ବିକାଶ ପ୍ରସଙ୍ଗରେ ଏକ ହେବାକୁ ଆହ୍ୱାନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ ଆଦର୍ଶ ପାଠାଗାରଠାରେ ଏକ ମିଳିତ ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନ ଅନୁଷ୍ଠିତ ହୋଇଯାଇଛି । ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ସଂଜୀବ ମହାନ୍ତି, ଶ୍ରୀମନ୍ତ ବେହେରା, ସତ୍ୟପ୍ରିୟ ମହାନ୍ତି, ଭରତ ବାଇଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ କନଭେନସନକୁ ପରିଚାଳନା କରିଥିବା ବେଳେ ଏହି କନଭେନସନରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଶ୍ରମିକ, କର୍ମଚାରୀ ସଂଗଠନ, ଟ୍ରେଡ୍ ୟୁନିୟନ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ହେବାକୁ ଆହ୍ୱାନ ଦେଇଥିଲେ । ଖଣି ଖାଦାନରେ ଭରପୁର ଥିବା ସୁନ୍ଦରଗଡ଼ ଜିଲ୍ଲା ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତ, ରେଳ ଯୋଗାଯୋଗ ଓ ଭିତ୍ତିଭୂମିର ବିକାଶ ଦିଗରେ ଆଜି ବହୁ ପଛରେ ରହିଛି । ରାଜନୈତିକ ଇଚ୍ଛାଶକ୍ତି ଓ ଦୃଢ଼ ପ୍ରତିବଦ୍ଧତାର ଅଭାବ ଯୋଗୁଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଯାହା ପାଇବା ପାଇଁ ହକଦାର ତାହା ପାଇପାରି ନାହିଁ । ଏହି ଅନ୍ୟାୟ, ଅବିଚାର ଓ ଜିଲ୍ଲା ପ୍ରତି ବୈମାତୃକ ମନୋଭାବର ବିରୋଧରେ ନାଗରିକ ସୁରକ୍ଷା କମିଟିର ଜନ୍ମ । ଦେଶର ପ୍ରଧାନମନ୍ତ୍ରୀ ରାଉରକେଲାରେ ଘୋଷଣା କଲେ ଯେ, ଏଠାରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ । ଦେଶର ଟିକସଦାତାଙ୍କ ୪ଶହ କୋଟି ଟଙ୍କାରେ ଏକ ଓ ରାଉରକେଲା ଇସ୍ପାତ କାରଖାନାର ମୂଲ୍ୟବାନ ଜମିରେ କେବଳ ଏକ ବୃହତ ବିଲଡିଙ୍ଗ ତିଆରି କରାଗଲା । ସେ ସୁପର ସ୍ପେସାଲିଟି ହସ୍ପିଟାଲରେ ନା ଅଛନ୍ତି ସ୍ପେସାଲିଟି ଡାକ୍ତର ନା ପାରାମେଡିକାଲ ଷ୍ଟାଫ ନା ଅନ୍ୟାନ୍ୟ ବ୍ୟବସ୍ଥା । ତାକୁ ମଧ୍ୟ ଏକ ଘରୋଇ ସଂସ୍ଥା ଆପୋଲୋକୁ ଟେକି ଦିଆଗଲା । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି ଓ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ସୁପର ସ୍ପେସାଲିଟି ହସ୍ପିଟାଲ ହେଲେ ମଧ୍ୟ ମେଡିକାଲ କଲେଜ ହୋଇ ପାରିଲା ନାହିଁ । ଜିଲ୍ଲାବାସୀ ଏହିପରି ଅନେକ ପ୍ରତିଶୃତି ପାଇ ମଧ୍ୟ ପ୍ରତାରିତ ହୋଇଛନ୍ତି । ଦୀର୍ଘ ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟ ସରିଲା ନାହିଁ । ରାଉରକେଲାକୁ ରେଳ ଡିଭିଜନ ଘୋଷଣା, ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା, ବାସଚ୍ୟୁତଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ଏସ୍‌ଏମ୍‌ଇର ବିକାଶ, ରାଉରକେଲା ଇସ୍ପାତ କାରଖାନାର ଆଧୁନିକିକରଣ ଓ ସଂପ୍ରସାରଣ, ଏଠାରେ ଇଏସ୍‌ଆଇସିର ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରେଳଷ୍ଟେସନ ଗୁଡ଼ିକର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପ୍ରଭୃତି ଦାବୀରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ଶ୍ରମିକ, ଯୁବ ଛାତ୍ର, ମହିଳା, ସାମାଜିକ ଓ ସାଂସ୍କୃତିକ ସଂଗଠନ, ସମସ୍ତ ଜନ ପ୍ରତିନିଧିମାନଙ୍କୁ ଏକତ୍ରିତ କରି ଜିଲ୍ଲାର ବିକାଶ ପାଇଁ ଏକ ହୋଇ ଲଢ଼ିବାକୁ ସେ ଆହ୍ୱାନ କରିବା ସହିତ ଆଗାମୀ ୨୦ ଅଗଷ୍ଟ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହାସମାବେଶକୁ ସଫଳ କରିବାକୁ ଆହ୍ୱାନ କରିଥିଲେ । ଆଜି ନାଗରିକ ସୁରକ୍ଷା କମିଟି ନିଷ୍ପତ୍ତି ଗ୍ରହଣ କରିଛି । ଆଜି ଏହି ଜିଲ୍ଲାସ୍ତରୀୟ ଶ୍ରମିକ କର୍ମଚାରୀ କନଭେନସନରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ପ୍ରମୁଖ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସିଆଇଟିୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଏଆଇଟିୟୁସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ, ଏଆଇୟୁଟିୟୁସି ସଂପାଦକ ଅଜିତ ନାୟକ, ସିୟର ସଂପାଦକ ହେମନ୍ତ ବେହୁରା, ଜୀବନ ବୀମା କର୍ମଚାରୀ ନେତା ଭାଗିରଥି ଟୁଡୁ, ଟେଲିକମ କର୍ମଚାରୀ ସଂଘ ନେତା ଦେବଜିତ ତ୍ରିପାଠୀ, ଡାକ କର୍ମଚାରୀ ନେତା ରଞ୍ଜନ କୁମାର ରାଉତ, ପିଆର୍ ଦାସ୍, ଶିକ୍ଷକ ନେତା ବ୍ରଜେନ୍ଦ୍ର ଦାସ, ଆମ୍ ଆଦମୀ ପାର୍ଟି ଶ୍ରମିକ ନେତା ବିନୟ ତିୟାରୀ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ନାଗରିକ ସୁରକ୍ଷା କମିଟି ଉଠାଇଥିବା ସମସ୍ତ ଦାବୀକୁ ସମର୍ଥନ କରିବା ସହିତ ମହାକନଭେନସନକୁ ସଫଳ କରିବାକୁ କହିଥିଲେ । ନାଗରିକ ସୁରକ୍ଷା କମିଟି ସଦସ୍ୟ ରାଜ କିଶୋର ପ୍ରଧାନ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କନଭେନସନରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଟ୍ରେଡ ୟୁନିୟନ ଓ କର୍ମଚାରୀ ସଂଘର ନେତାମାନଙ୍କ ମଧ୍ୟରେ ତ୍ରିଲୋଚନ ପରିଡ଼ା, ମନୋରଞ୍ଜନ ଦାଶ, ବି ପି ମହାପାତ୍ର, ହୃଦୟାନନ୍ଦ ଯାଦବ, ରତ୍ନାକର ନାୟକ, ସୁରେନ୍ଦ୍ର ଦାଶ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ଯେଉଁ ଆନ୍ଦୋଳନର ଖସଡ଼ା ପ୍ରସ୍ତୁତ ହେବ ସେଥିରେ ଜିଲ୍ଲାର ସମସ୍ତ ଶ୍ରମିକ କର୍ମଚାରୀ ସାମିଲ କରିବାକୁ ଆହ୍ୱାନ କରିଥିଲେ । ଆଗାମୀ ଅଗଷ୍ଟ ୨୦ ତାରିଖ ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମହାକନଭେନସନରେ ଶହ ଶହ ଶ୍ରମିକ କର୍ମଚାରୀମାନଙ୍କୁ ସାମିଲ କରିବାକୁ ଆଜିର କନଭେନସନରେ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave A Reply

Your email address will not be published.