କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଅନୁମୋଦନ

  • ହବିଷ୍ୟାଳି ମା’ମାନଙ୍କୁ କାର୍ତ୍ତିକ ମାସ ବ୍ରତ ସମୟରେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : କାର୍ତ୍ତିକ ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ ପାଳନ ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳୀ ମା’ ମାନଙ୍କୁ କାର୍ତ୍ତିକ ମାସ ବ୍ରତ ପାଳନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, କାର୍ତ୍ତିକ ମାସ ହେଉଛି ଧାର୍ମିକ ମାସ । କାର୍ତ୍ତିକ ମାସ ବ୍ରତ ପାଳନ ଦ୍ୱାରା ପୁଣ୍ୟ ଅର୍ଜିତ ହୁଏ ବୋଲି ଆମ ଓଡ଼ିଆ ଜଗନ୍ନାଥ ସଂସ୍କୃତିରେ ବିଶ୍ୱାସ ରହିଛି । କାର୍ତ୍ତିକ ମାସ ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅନେକ ହବିଷ୍ୟାଳୀ ମା’ ମାନେ ଏକତ୍ରୀତ ହୋଇଥାନ୍ତି । ହବିଷ୍ୟାଳୀ ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ ନିମନ୍ତେ ଚଳିତ ବର୍ଷ ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ହବିଷ୍ୟାଳୀ ମା’ମାନଙ୍କ ପାଇଁ ଦୀର୍ଘ ଏକ ମାସ ଧରି ପୁରୀରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ମାନଙ୍କରେ ସୁରକ୍ଷିତ ରହଣି ବ୍ୟବସ୍ଥା, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ-କୀର୍ତ୍ତନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯିବାର ଯୋଜନା ରହିଛି । ଏଥିସହ ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ମା’ମାନେ ଯେପରି ନିଜର ବ୍ରତ ପାଳନ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ଏହାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତ ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ । ଏହି ସମୟରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ତରଫରୁ ବିଶେଷ ଭାବରେ ହବିଷ୍ୟାଳି ମା’ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗାଡ଼ି ବ୍ୟବସ୍ଥା ଓ ସ୍ୱେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍‌ ଯୋଗାଣ ଆଦିକୁ ଅଗ୍ରାଧିକାର ଭିତ୍ତିରେ ସୁନିଶ୍ଚିତ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!