ବାଳକର ତଣ୍ଟି କାଟିଥିବା ଅଭିଯୁକ୍ତକୁ ଗିରଫ କଲା ସଇଁତଲା ପୋଲିସ

ସଇଁତଲା, (କେପିଏନ୍‌ଏସ୍‌) : ମାମୁଁଘରେ ରହି ପାଠ ପଢ଼ୁଥିବା ବାଳକକୁ ପଡେ଼ାଶୀ ଯୁବକ ଜଣକ ମିଠା ଖାଇବାକୁ ଦେବି କହି ଡାକିନେଲା । ମିଠା ଖାଇବା ଲୋଭରେ ବାଳକ ପଡେ଼ାଶୀ ଘରକୁ ଯିବା ବେଳକୁ ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ଆକସ୍ମିକ ଦା’ରେ ବାଳକର ତଣ୍ଟି କାଟିଦେଲା ଯୁବକ । ରକ୍ତ ଜୁଡ଼ୁବୁଡ଼ୁ ହୋଇ ବାଳକ ନୃଶଂସ ଯୁବକର କବଳରୁ ନିଜକୁ ବଂଚାଇ ମାମୁଁଘରକୁ ଜୀବନ ବିକଳରେ ଧାଇଁ ଆସିଥିଲା ଏବଂ ସବୁ ଘଟଣା କହିଥିଲା । ଗୁରୁତର ଅବସ୍ଥାରେ ବାଳକକୁ ପରିବାର ଲୋକେ ସଇଁତଲା ଡାକ୍ତରଖାନାକୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ସଇଁତଲା ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସୋନପୁର ଜିଲ୍ଲାର ରାନିସର୍‌ଡ଼ା ଗାଁର ଡୋଳାମଣି ଦୀପଙ୍କ ପୁଅ ମିଲନ୍‌ ଦୀପ(୧୩) ଗତ ୩ ମାସ ହେଲା ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ର ଭୋଇର୍‌ପଡ଼ାରେ ଥିବା ତାଙ୍କ ମାମୁଁ ନୀଳକାନ୍ତ ନାଗଙ୍କ ଘରେ ରହୁଥିଲେ । ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମିଲନ୍‌କୁ ମାମୁଁଘର ପଡେ଼ାଶୀ ସୁରଂଚି ଭୋଇ(୪୫) ମିଠା ଖାଇବାକୁ ଦେବ କହି ଘରକୁ ଡାକି ନେଇଥିଲା । ବୁନ୍ଦି ଲଡ଼ୁ ଖାଇବାକୁ ଦେବା ବାହାନାରେ ଧାରୁଆ ଦା’ରେ ମିଲନ୍‌ଙ୍କ ତଣ୍ଟି କାଟି ଦେଇଥିଲା । ତତ୍‌କ୍ଷଣାତ ମିଲନ୍‌ ଅଭିଯୁକ୍ତ ସୁରଂଚିକୁ ଠେଲି ଦେଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମାମୁଁ ଘରକୁ ଦୌଡ଼ି ଦୌଡ଼ି ପହଂଚିଥିଲା । ଏହାପରେ ମାମୁଁଘର ଲୋକେ ପୋଲିସକୁ ଖବର ଦେବା ସହ ମିଲନ୍‌କୁ ସଇଁତଲା ଡାକ୍ତରଖାନାକୁ ଆଣିଥିଲେ । ବେକରେ ଗଭୀର ଆଘାତ ଲାଗିଥିବାରୁ ସଇଁତଲା ଡାକ୍ତରଖାନାରୁ ମିଲନ୍‌ଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ସଇଁତଲା ପୋଲିସ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତ ସୁରଂଚି ଭୋଇକୁ ଗିରଫ୍‌ କରିଥିଲା । ଟିଟିଲାଗଡ଼ ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ସୁଶାନ୍ତ ପଧାନ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଥିବା ଜଣାପଡ଼ିଛି । ତେବେ କେଉଁ କାରଣରୁ ମିଲନ୍‌ଙ୍କ ତଣ୍ଟି କାଟିଲା ସୁରଂଚି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ସୁରଂଚିର ମାନସିକ ଅବସ୍ଥା ଠିକ୍‌ ନଥିବା କିଛି ଲୋକ କହୁଥିବା ବେଳେ ଜମିବାଡ଼ି କନ୍ଦଳକୁ ନେଇ ଏଭଳି କାଣ୍ଡ ଘଟାଇଛି ଯୁବକ ସୁରଂଚି ବୋଲି କହୁଛନ୍ତି । ଅନ୍ୟପକ୍ଷରେ ଗୁଣି ଗାରେଡ଼ି ଆଧାରରେ ବଳି ଦେବା ଉଦ୍ଦେଶ୍ୟରେ ମିଲନଙ୍କ ତଂଟି କାଟିଥାଇପାରେ ସୁରଂଚି ବୋଲି ମଧ୍ୟ ଅଂଚଳରେ ଚର୍ଚ୍ଚା ହେଉଛି । ତେବେ ଘଟଣାର ଅସଲ କାରଣ ଖୋଜିବାକୁ ଏବେ ବି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତଦନ୍ତ ପରେ ସ୍ପଷ୍ଟ ଜଣାପଡ଼ିବ ଏହି ଘଟଣାର କାରଣ ବୋଲି କୁହାଯାଉଛି ।

Leave A Reply

Your email address will not be published.