ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ (ଅଗଷ୍ଟ ୨୩, ୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ‘ବିକ୍ରମ’ ଲ୍ୟାଣ୍ଡରର ସଫଳ ଅବତରଣ ସ୍ମୃତିରେ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି ‘ରୋବୋଟିକ୍ସ ଚ୍ୟାଲେଞ୍ଜ’ ଓ ‘ଭାରତୀୟ ଅନ୍ତରୀକ୍ଷ ହାକାଥନ୍’ର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଇସ୍ରୋ ଏହାର ପ୍ରାରମ୍ଭିକ ଦିନରୁ ଏକ ଚମତ୍କାର ଯାତ୍ରା ଜାରି ରଖିଛି । ମହାକାଶ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହା ସହ ଇସ୍ରୋ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶରେ ଅମୂଲ୍ୟ ଅବଦାନ ରଖିଛି । ସର୍ବନିମ୍ନ ସମ୍ବଳ ବ୍ୟବହାର କରି ଭାରତର ମହାକାଶ କାର୍ଯ୍ୟକ୍ରମକୁ ବିଶ୍ୱର ଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନିତ କରିଥିବା ସମର୍ପିତ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା କରିଥିଲେ । ମହାକାଶ ବିଜ୍ଞାନରେ ଆମ ଦେଶ ନିରନ୍ତର ପ୍ରଗତି କରିବ ଏବଂ ଆମେ ଉତ୍କର୍ଷତାର ନୂତନ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିବୁ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଭାରତର ମହାକାଶ କ୍ଷେତ୍ରର ଅଗ୍ରଗତି ଅସାଧାରଣ । ସୀମିତ ସମ୍ବଳରେ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ମଙ୍ଗଳ ଅଭିଯାନ ହେଉ କିମ୍ବା ଏକାଥରକେ ଶହେରୁ ଅଧିକ ଉପଗ୍ରହର ସଫଳ ଉତକ୍ଷେପଣ ହେଉ, ଆମେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ରାଷ୍ଟ୍ରପତି କହିଥିଲେ ଯେ, ମହାକାଶ ଗବେଷଣା ମଣିଷର ସାମର୍ଥ୍ୟ ବୃଦ୍ଧି କରିଛି ଏବଂ ଆମର କଳ୍ପନାକୁ ବାସ୍ତବରେ ପରିଣତ କରିଛି । କିନ୍ତୁ ମହାକାଶ ଗବେଷଣା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ । ମହାକାଶ ଅନୁସନ୍ଧାନ ସମୟରେ ସମସ୍ୟାର ସମାଧାନ ପାଇଁ କରାଯାଇଥିବା ଗବେଷଣା ବିଜ୍ଞାନର ବିକାଶକୁ ତ୍ୱରାନ୍ୱିତ କରିଥାଏ ଏବଂ ମାନବ ଜୀବନରେ ଉନ୍ନତି ଆଣିଥାଏ । ସ୍ୱାସ୍ଥ୍ୟ ଓ ଔଷଧ, ପରିବହନ, ନିରାପତ୍ତା, ଶକ୍ତି, ପରିବେଶ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ମହାକାଶ କ୍ଷେତ୍ରର ବିକାଶ ଦ୍ୱାରା ଅନେକ କ୍ଷେତ୍ର ଉପକୃତ ହୋଇଛନ୍ତି । ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ର ଖୋଲିବା ସହ ଷ୍ଟାର୍ଟଅପ୍ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ରାଷ୍ଟ୍ରପତି ଦର୍ଶାଇଥିଲେ । ଏହା କେବଳ ମହାକାଶ ଗବେଷଣାରେ ଅଗ୍ରଗତି ଆଣିନାହିଁ ବରଂ ଆମର ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଏବଂ ଉନ୍ନତି ପାଇଁ ନୂତନ ସୁଯୋଗ ଦେଇଛି । କିଛି ମାସ ତଳେ ଏକ ଭାରତୀୟ କମ୍ପାନି ସିଙ୍ଗଲ ପିସ୍ ଥ୍ରୀଡି ପ୍ରିଣ୍ଟେଡ୍ ସେମି କ୍ରାୟୋଜେନିକ୍ ଇଞ୍ଜିନ୍ ଚାଳିତ ରକେଟ୍‌କୁ ସଫଳତାର ସହ ଉତ୍‌କ୍ଷେପଣ କରିଥିଲା, ଯାହା କି ପ୍ରଥମ ସଫଳତା । ଭବିଷ୍ୟତର ଆହ୍ୱାନ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି କହିଛନ୍ତି । ମହାକାଶ ଆବର୍ଜନା ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାକାଶ ଗବେଷଣା କାର୍ଯ୍ୟକଳାପର ନିରନ୍ତର ଅଗ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ପରିଚାଳିତ ହେଉଥିବା ‘ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ୍ ମ୍ୟାନେଜମେଣ୍ଟ’ ସୁବିଧାକୁ ସେ ପ୍ରଶଂସା କରିଥିଲେ । ୨୦୩୦ ସୁଦ୍ଧା ଭାରତ ନିଜର ସମସ୍ତ ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ଦିଗରେ ଆଗେଇ ଚାଲିଛି ବୋଲି ସେ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.