ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ ୮.୫ ଲକ୍ଷ ନମୁନା ପରୀକ୍ଷା

• ଆରୋଗ୍ୟ ହାର ୭୧.୧୭ ପ୍ରତିଶତ
• ମୃତ୍ୟୁହାର ୧.୯୫ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ, (ପିଆଇବି) : ନମୁନା ପରୀକ୍ଷଣ ସୁବିଧାକୁ ଅବ୍ୟାହତ ରଖି ଏବଂ ଦିନକୁ ୧୦ ଲକ୍ଷ ପରୀକ୍ଷଣ ଛୁଇଁବା ଲକ୍ଷ୍ୟରେ ଭାରତ ଏପର୍ୟ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷଣର ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮,୪୮,୭୨୮ ନମୁନା ପରୀକ୍ଷା କରାଯାଇଛି । ଫଳରେ ସମୁଦାୟ ପରୀକ୍ଷଣ ୨,୭୬,୯୪,୪୧୬କୁ ବୃଦ୍ଧି ପାଇଛି ।
କୋଭିଡ-୧୯ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିୟମାବଳିର ଅନୁପାଳନ ଓ ସନ୍ଦିଗ୍ଧ ମାମଲାଗୁଡ଼ିକ ପ୍ରତି ବିସ୍ତୃତ ନଜର ରଖିବାକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପରାମର୍ଶ ଦେଇଛି । ଡବ୍ଲୁଏଚଓ ପରାମର୍ଶ ଦେଇଛି ଯେ, ପ୍ରତ୍ୟେକ ଦେଶ ପ୍ରତି ନିୟୁତ ଜନସଂଖ୍ୟା ତୁଳନାରେ ଦିନକୁ ଅନ୍ୟୁନ ୧୪୦ ନମୁନା ପରୀକ୍ଷଣ କରିବା ଆବଶ୍ୟକ ।
ନିୟୁତ ଜନସଂଖ୍ୟା ପିଛା ଜାତୀୟ ପରୀକ୍ଷଣ ଦିନକୁ ୬୦୩ ହେଉଥିବାବେଳେ କେନ୍ଦ୍ରର ପ୍ରୟାସ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦ୍ଵାରା ପ୍ରଭାବଶାଳୀ କାର୍ୟ୍ୟକାରିତା ଯୋଗୁଁ ସେମାନଙ୍କ ମଧ୍ୟରୁ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ଏହି ସଂଖ୍ୟା ଅତିକ୍ରମ କରିଛନ୍ତି । ବର୍ତ୍ତମାନର ସକରାତ୍ମକତା ସହିତ ଅନୁରୂପ ସ୍ତରରେ ପରୀକ୍ଷଣକୁ ଜୋରଦାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଉଛି ।
ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ସଫଳତାର ସହିତ ତ୍ୱରାନ୍ୱିତ କରିବା ଯୋଗୁଁ ଦେଶରେ ରୋଗ ନିରୂପଣ ପରୀକ୍ଷାଗାରଗୁଡିକର ସଂଖ୍ୟା ବୃଦ୍ଧି ପାଇଛି । ୯୫୮ଟି ସରକାରୀ ଓ ୪୯୩ଟି ଘରୋଇ ଏହିପରି ମୋଟ ୧,୪୫୧ଟି ପରୀକ୍ଷାଗାରରେ ବର୍ତ୍ତମାନ ନମୁନା ପରୀକ୍ଷଣ କାର୍ୟ୍ୟ କରାଯାଉଛି । ବ୍ୟାପକ ନମୁନା ପରିକ୍ଷଣକୁ ସଫଳତାର ସହତି କାର୍ୟ୍ୟକାରୀ କରିବା, ବ୍ୟାପକ ଚିହ୍ନଟିକରଣ ଏବଂ ଦକ୍ଷ ଚିକିତ୍ସା ସୁବିଧା ଯୋଗୁଁ ସୁସ୍ଥତା ହାର ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି । ଏହା ଆଜି ୭୧.୧୭ ପ୍ରତିଶତରେ ପହଞ୍ଚିଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୧୭.୫ ଲକ୍ଷରୁ ଅଧିକ ଅର୍ଥାତ ୧୭,୫୧,୫୫୫ରେ ପହଞ୍ଚିଛି । ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ୬,୬୧,୫୯୫ ବୃଦ୍ଧି ପାଇ ପାଖାପାଖି ୧୧ ଲକ୍ଷ ଅର୍ଥାତ ୧୦,୮୯,୯୬୦ରେ ପହଞ୍ଚିଛି ।
ଏକ ଗୁଣାତ୍ମକ ଚିକିତ୍ସା ନିୟମାବଳୀର ଅନୁସରଣ କରିବା ଫଳରେ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଏହା ଦ୍ରୁତ ହ୍ରାସ ପାଇ ଆଜି ୧.୯୫ ପ୍ରତିଶତରେ ପହଞ୍ଚିଛି ।

Leave A Reply

Your email address will not be published.