om academy

୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ବାର୍ତ୍ତାର ଓଡ଼ିଆ ଅନୁବାଦ

jsm

ପ୍ରିୟ ଦେଶବାସୀ,
ନମସ୍କାର !
୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଓ ବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଅଗଷ୍ଟ ୧୫ ଆମକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ସହିତ ଏହି ଉତ୍ସବରେ ଅଂଶଗ୍ରହଣ ଏବଂ ଦେଶାତ୍ମବୋଧକ ସଂଗୀତ ଶୁଣିବାର ଉତ୍ସାହ ଦିଏ । ଏହି ଦିବସରେ ଦେଶର ଯୁବ ସମାଜ ଏକ ସ୍ୱାଧୀନ ଭାରତର ନାଗରିକ ହେବାର ସ୍ୱତନ୍ତ୍ର ଗର୍ବ ଅନୁଭବ କରିବା ଉଚିତ । ଏକ ସ୍ୱାଧୀନ ରାଷ୍ଟ୍ରରେ ବଞ୍ଚିବା ପାଇଁ ନିଜ ଜୀବନ ଉତ୍ସର୍ଗ କରି ଆମକୁ ସମର୍ଥ କରିଥିବା ଆମର ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଆମେ ଏହି ଅବସରରେ କୃତଜ୍ଞତାର ସହ ସ୍ମରଣ କରୁଛୁ ।
ଆମ ସ୍ୱାଧୀନତା ସଂଗ୍ରାମର ସ୍ୱଭାବ ଓ ସଦାଚାର ଆଧୁନିକ ଭାରତର ମୂଳଦୁଆ ପ୍ରତିଷ୍ଠା କରିଛି । ଆମର ଦୂରଦୃଷ୍ଟି ସଂପନ୍ନ ନେତୃଗଣ ମିଳିତଭାବେ ଏକ ବିବିଧ ବିଶ୍ୱ ଦୃଷ୍ଟିକୋଣରେ ଗୋଟିଏ ସାଧାରଣ ଜାତୀୟ ଚେତନା ସୃଷ୍ଟି କରିଥିଲେ । ଅତ୍ୟାଚାରୀ ବିଦେଶୀ ଶାସନରୁ ଭାରତମାତାକୁ ମୁକ୍ତକରି ତାହାର ସନ୍ତାନମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସେମାନେ ଅଙ୍ଗୀକୃତ ଥିଲେ । ସେମାନଙ୍କ ବିଚାର ଓ କାର୍ୟ୍ୟ ଏକ ଆଧୁନିକ ରାଷ୍ଟ୍ରର ପରିଚୟକୁ ଆକାର ଦେଇଥିଲା ।
ଆମେ ଭାଗ୍ୟବାନ ଯେ ମହାତ୍ମା ଗାନ୍ଧୀ ଆମ ମୁକ୍ତି ଆନ୍ଦୋଳନର ଦିଗ୍‌ଦ୍ରଷ୍ଟା ଓ ଆଲୋକବର୍ତ୍ତିକା ଥିଲେ । ସେ ଉଭୟ ସନ୍ଥ ଓ ରାଜନେତାଭାବେ ଏକ ସଂବୃତିରେ ପରିଣତ ହୋଇଥିଲେ, ଯାହା କେବଳ ଭାରତରେ ସମ୍ଭବ ହୋଇଥିଲା । ସାମାଜିକ ଅସ୍ଥିରତା, ଆର୍ଥିକ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟା ଦ୍ୱାରା ଜର୍ଜରିତ ହୋଇପଡିଥିବା ସମଗ୍ର ବିଶ୍ୱ ଏଥିରୁ ପରିତ୍ରାଣ ପାଇବା ପାଇଁ ଗାନ୍ଧୀଜୀଙ୍କ ଦର୍ଶନ ଓ ଶିକ୍ଷାରୁ ବାଟ ଖୋଜୁଛି । ସମାନତା ଓ ନ୍ୟାୟ ପାଇଁ ତାଙ୍କ ଅନ୍ୱେଷଣ ଆମ ସାଧାରଣତନ୍ତ୍ରର ମନ୍ତ୍ର ପାଲଟିଛି । ଯୁବ ପିଢି ଗାନ୍ଧୀଜୀଙ୍କୁ ପୁନଃ ଆବିଷ୍କାର କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ ।
ପ୍ରିୟ ଦେଶବାସୀ
ଚଳିତ ବର୍ଷର ସ୍ୱାଧୀନତା ଦିବସ ଉତ୍ସବ ପାଳନରେ କିଛିଟା ସଂଯମ ଓ ନିୟନ୍ତ୍ରଣ ରହିବ । ଏହାର କାରଣ ସମସ୍ତଙ୍କୁ ଜଣା । ଏକ ଭୟାନକ ଭୂତାଣୁ ସହ ସମଗ୍ର ବିଶ୍ୱ ଏବେ ଲଢେଇ କରୁଛି । ଏହାର ସଂକ୍ରମଣ ଯୋଗୁଁ ସମସ୍ତ ପ୍ରକାର କାର୍ୟ୍ୟ ବ୍ୟାହତ ହୋଇଛି ଏବଂ ବହୁ ଲୋକ ପ୍ରାଣ ହରାଇଛନ୍ତି । ଆମେ ପୂର୍ବରୁ ଯେଉଁ ପୃଥିବୀରେ ବଞ୍ଚିଥିଲୁ ତାହାକୁ ଏହି ମହାମାରୀ ବଦଳାଇ ଦେଇଛି ।
ଏହା ଆଶ୍ୱସ୍ତିର ବିଷୟ ଯେ କେନ୍ଦ୍ର ସରକାର ଏହି ମହାମାରୀର ବିରାଟ ଆହ୍ୱାନକୁ ଯଥେଷ୍ଟ ପୂର୍ବରୁ ଅନୁମାନ କରି ଉପଯୁକ୍ତ ସମୟରେ ଆବଶ୍ୟକ ପଦକ୍ଷେପମାନ ସଫଳତାର ସହ ଗ୍ରହଣ କରିଥିଲେ । ଭାରତ ଭଳି ଏକ ବିରାଟ ଓ ବିପୁଳ ଜନସଂଖ୍ୟା ବିଶିଷ୍ଟ ବିବିଧତାପୂର୍ଣ୍ଣ ଦେଶରେ ଏଭଳି ଆହ୍ୱାନର ମୁକାବିଲା କରିବା ପାଇଁ ଦୃଢ ମାନବୀୟ ଦକ୍ଷତା ଓ ଉଦ୍ୟମ ଦରକାର ପଡେ । ସ୍ଥାନୀୟ ସ୍ଥିତିକୁ ବିଚାରକୁ ନେଇ ସବୁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଥିଲେ । ଜନସାଧାରଣ ମଧ୍ୟ ଏଥିରେ ପୂର୍ଣ୍ଣପ୍ରାଣରେ ସହାୟତା ଯୋଗାଇଥିଲେ । ଆମର ଅଙ୍ଗୀକୃତ ପ୍ରୟାସ ଦ୍ୱାରା ଆମେ ମହାମାରୀର ବ୍ୟାପକ ପ୍ରଭାବକୁ ନିୟନ୍ତ୍ରିତ ତଥା ସୀମିତ କରିବାରେ ସଫଳ ହୋଇଛୁ । ଏହାଦ୍ୱାରା ଅନେକ ଜୀବନ ରକ୍ଷା ପାଇଛି । ବୃହତ୍ତର ବିଶ୍ୱପାଇଁ ଏହା ଏକ ଉଦାହରଣ ।
ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଦେଶ ଋଣୀ । ସେମାନେ ନିରନ୍ତର ଏହି ଭୂତାଣୁ ବିରୋଧୀ ଲଢେଇର ସମ୍ମୁଖ ଭାଗରେ ରହିଛନ୍ତି । ଦୁର୍ଭାଗ୍ୟର ବିଷୟ ହେଲା ସେମାନଙ୍କ ମଧ୍ୟରୁ ଅନେକ ଏହି ମହାମାରୀ ଲଢିବାବେଳେ ନିଜର ଜୀବନ ହରାଇଛନ୍ତି । ସେମାନେ ଆମ ରାଷ୍ଟ୍ରର ନାୟକ । ସବୁ କରୋନା ଯୋଦ୍ଧା ଉଚ୍ଚପ୍ରଶଂସାର ପାତ୍ର । ସେମାନେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟର ବହୁ ଊର୍ଦ୍ଧ୍ଵକୁ ଯାଇ ଲୋକଙ୍କ ଜୀବନ ରକ୍ଷା କରିବା ସହିତ ଅତ୍ୟାବଶ୍ୟକ ସେବାକୁ ନିଶ୍ଚିତ କରିଛନ୍ତି । ଏହି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ବିପର୍ୟ୍ୟୟ ପରିଚାଳନା ଦଳର ସଦସ୍ୟ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ଡେଲିଭରି ଷ୍ଟାଫ୍‌, ପରିବହନ, ରେଳବାଇ ଓ ବିମାନ କର୍ମଚାରୀ, ବିଭିନ୍ନ ସେବା ଯୋଗାଣକାରୀ, ସରକାରୀ କର୍ମଚାରୀ, ସମାଜସେବୀ ସଂଗଠନ ଏବଂ ଦୟାଳୁ ନାଗରିକମାନେ ଅଦମ୍ୟ ସାହସ ଓ ନିଃସ୍ୱାର୍ଥ ସେବାର ପ୍ରେରଣାଦାୟୀ କାହାଣୀମାନ ରଚନା କରୁଛନ୍ତି । ସହର ବଜାର ଯେତେବେଳେ ନିରବୀ ଯାଉଛି ଏବଂ ରାସ୍ତାଘାଟ ଯେତେବେଳେ ଜନଶୂନ୍ୟ ପାଲଟୁଛି, ସେମାନେ ସେତେବେଳେ ଅକ୍ଳାନ୍ତ ପରିଶ୍ରମ କରି ଲୋକେ ଯେପରି ସ୍ୱାସ୍ଥ୍ୟସେବା, ରିଲିଫ, ପାନୀୟଜଳ, ବିଜୁଳି, ପରିବହନ ଓ ଯୋଗାଯୋଗ ସୁବିଧା, କ୍ଷୀର ଓ ପନିପରିବା, ଖାଦ୍ୟ ଓ ଦୋକାନ ସଉଦା, ଔଷଧପତ୍ର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରୁଛନ୍ତି । ସେମାନେ ନିଜ ଜୀବନକୁ ବିପନ୍ନ କରି ଆମ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିଛନ୍ତି । ଏହି ସଂକଟକାଳରେ ଅମ୍ଫନ ବାତ୍ୟା ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବିତ୍ପାତ ସୃଷ୍ଟି କରିଥିଲା । ବିପର୍ୟ୍ୟୟ ପରିଚାଳନା ଟିମ୍‌ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ତଥା ସତର୍କ ନାଗରିକମାନଙ୍କ ମିଳିତ ପ୍ରୟାସ ଫଳରେ ଜୀବନହାନିକୁ ଯଥେଷ୍ଟ ହ୍ରାସ କରାଯାଇପାରିଥିଲା । ଦେଶର ଉତ୍ତର ପୂର୍ବାଞ୍ଚଳ ଓ ପୂର୍ବ ଭାଗରେ ଏବେ ବନ୍ୟା ବିତ୍ପାତ ଦ୍ୱାରା ଲୋକେ ପ୍ରଭାବିତ । ସେମାନଙ୍କ ଜୀବନଯାତ୍ରା ବ୍ୟାହତ ହୋଇଛି । ବିପର୍ୟ୍ୟୟର ଏହି ସମୟରେ ସମାଜର ସବୁ ବର୍ଗର ଲୋକେ ମିଳିମିଶି ଦୁର୍ଦ୍ଦଶାଗ୍ରସ୍ତଙ୍କୁ ସହାୟତା କରିବା ସନ୍ତୋଷଜନକ ବିଷୟ ।
ପ୍ରିୟ ନାଗରିକ,
ମହାମାରୀ ଦ୍ୱାରା ଗରିବ ଓ ଦିନମଜୁରିଆ ଅଧିକ ପ୍ରଭାବିତ ହୋଇଛନ୍ତି । ସଂକଟର ଏହି କ୍ଷଣରେ ସେମାନଙ୍କୁ ସାହାଯ୍ୟ ଓ ସମର୍ଥନ କରିବା ପାଇଁ ଭୂତାଣୁ ନିୟନ୍ତ୍ରଣ କାର୍ୟ୍ୟ ସହିତ କଲ୍ୟାଣକାରୀ କାର୍ୟ୍ୟମାନ ମଧ୍ୟ ହାତକୁ ନିଆଯାଇଛି । ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ କାର୍ୟ୍ୟକାରୀ କରି କୋଟି କୋଟି ଲୋକଙ୍କୁ ସେମାନଙ୍କର ଜୀବିକା ଅର୍ଜନର ସୁଯୋଗ ଦେଇଛନ୍ତି । ଏହା ଫଳରେ ନିଯୁକ୍ତି ହାନି, ବିଚ୍ଛିନ୍ନ ହୋଇରହିବା ଏବଂ ଇତଃସ୍ତତ ଅବସ୍ଥାରେ କାଳାତିପାତ କରିବାର ପ୍ରଭାବ ହ୍ରାସ ପାଇଛି । ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଏହି କାର୍ୟ୍ୟରେ କର୍ପୋରେଟ ଉଦ୍ୟୋଗ, ନାଗରିକ ସମାଜ ଓ ନାଗରିକମାନେ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଛନ୍ତି ।
ଅତି ଅଭାବୀ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଫଳରେ କୌଣସି ପରିବାର ଭୋକିଲା ରହିବାର ଅବକାଶ ନାହିଁ । ଭାରତରେ ଚାଲିଥିବା ଏହି ସର୍ବବୃହତ୍‌ ମାଗଣା ଖାଦ୍ୟ ବଣ୍ଟନ କାର୍ୟ୍ୟକ୍ରମର ସମୟସୀମାକୁ ଚଳିତବର୍ଷ ନଭେମ୍ବର ଶେଷ ପର୍ୟ୍ୟନ୍ତ ବଢାଇ ଦିଆଯାଇଛି । ଏହା ମାଧ୍ୟମରେ ପ୍ରତି ମାସରେ ୮୦ କୋଟି ପରିବାରକୁ ଅନ୍ନ ସଂସ୍ଥାନ ଯୋଗାଣର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଓ ଇତଃସ୍ତତ ଭ୍ରମଣ କରୁଥିବା ରାସନ କାର୍ଡଧାରୀ ଶ୍ରମିକଙ୍କୁ ଦେଶର ଯେକୌଣସି ସ୍ଥାନରେ ପଡି ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ସରକାର କରିଛନ୍ତି । ଏକ ଦେଶ ଏକ ରାସନ କାର୍ଡ ଯୋଜନାରେ ସବୁ ରାଜ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ।
ବିଶ୍ୱର ଯେକୌଣସି ସ୍ଥାନରେ ଅଟକି ରହିଥିବା ଆମ ଦେଶର ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଆମ ସରକାର ବଦ୍ଧପରିକର ହୋଇ କାର୍ୟ୍ୟ କରୁଛନ୍ତି । ଏଯାଏଁ ୧୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ବନ୍ଦେ ଭାରତ ଯୋଜନାରେ ବିଦେଶରୁ ସ୍ୱଦେଶ ଫେରାଇ ଅଣାଗଲାଣି । ଏହି ଆହ୍ୱାନମୂଳକ ପରିସ୍ଥିତିରେ ଭାରତୀୟ ରେଳବାଇ ଯାତ୍ରୀ ଓ ମାଲ ପରିବହନ ସେବା ମଧ୍ୟ ଜାରି ରଖିଛି ।
ଆମ ସାମର୍ଥ୍ୟରେ ଆମେ ବିଶ୍ୱାସ ରଖିଥିବାବେଳେ କରୋନା ମହାମାରୀର ମୁକାବିଲାରେ ଅନ୍ୟାନ୍ୟ ଦେଶକୁ ମଧ୍ୟ ସାହାଯ୍ୟ ସହଯୋଗ ଯୋଗାଉଛୁ । ଯେଉଁସବୁ ଦେଶ ଆମକୁ ଔଷଧପତ୍ର ଯୋଗାଇବାକୁ ଅନୁରୋଧ କରିଥିଲେ ଆମେ ତାହା ଯୋଗାଇ ଦେଇଛୁ । ଏହି କାର୍ୟ୍ୟ ମାଧ୍ୟମରେ ଆମେ ପୁଣି ଥରେ ପ୍ରମାଣ କରିଛୁ ଯେ ଦୁଃଖଦୁର୍ଦ୍ଦଶା ସମୟରେ ଭାରତ ବିଶ୍ୱ ସମୁଦାୟ ସହ ଛିଡ଼ା ହେବାକୁ ସମର୍ଥ । ମହାମାରୀର ସଫଳ ମୁକାବିଲା ପାଇଁ ଆଞ୍ଚଳିକ ଓ ବୈଶ୍ୱିକ ସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ଆମେ ଆଗରେ ରହିଛୁ । ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଭ୍ୟପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଭାରତ ଯେଉଁ ବିପୁଳ ସମର୍ଥନ ପାଇଲା ତାହା ଭାରତ ପ୍ରତି ଆନ୍ତର୍ଜାତିକ ସ୍ତରରେ ଥିବା ଶୁଭେଚ୍ଛାର ଏକ ନିଦର୍ଶନ ।
ଆମେ ନିଜ ପାଇଁ କେବଳ ବଞ୍ଚିବାରେ ବିଶ୍ୱାସ କରୁନା, ସମଗ୍ର ବିଶ୍ୱର କଲ୍ୟାଣ କଥା ମଧ୍ୟ ଚିନ୍ତା କରୁ । ଏହା ଭାରତର ଏକ ପରମ୍ପରା । ଭାରତର ଆତ୍ମନିର୍ଭରଶୀଳତାର ଅର୍ଥ ଅନ୍ୟଠାରୁ ଦୂରେଇ ଯାଇ ବା ପୃଥକ ରହି ଆତ୍ମନିର୍ଭର ହେବା ନୁହେଁ । ଏହାର ଅର୍ଥ ନିଜେ ନିଜର ଆବଶ୍ୟକତା ପୂରଣ କରି ଆତ୍ମନିର୍ଭର ହେବା । ନିଜର ପରିଚୟ ବଜାୟ ରଖି ବିଶ୍ୱ ଅର୍ଥନୀତିରେ ନିଜର ସହଯୋଗ ଅବ୍ୟାହତ ରଖିବାକୁ ଭାରତ ଅଙ୍ଗୀକୃତ ।
ପ୍ରିୟ ଦେଶବାସୀ,
ବସୁଧୈବ କୁଟୁମ୍ବକମ୍‌ ବା ସମଗ୍ର ବିଶ୍ୱ ଏକ ପରିବାର ଭଳି ଯେଉଁକଥା ଆମ ମୁନିଋଷିମାନେ କହିଥିଲେ ସମଗ୍ର ବିଶ୍ୱ ଏବେ ତାହା ବୁଝୁଛି । ସାରା ଦୁନିଆ ଯେତେବେଳେ ମିଳିତଭାବେ ମାନବ ସମାଜ ଆଗରେ ଦେଖାଦେଇଥିବା ଆହ୍ୱାନର ମୁକାବିଲା କଥା ଚିନ୍ତା କରୁଛି ଠିକ୍‌ ସେତିକିବେଳେ ଆମ ପଡ଼ିଶାରେ କେହି ଜଣେ ତାହାର ବିସ୍ତାରବାଦୀ ଦୁଃସାହସ ଦେଖାଉଛି । ସୀମାର ସୁରକ୍ଷା ପାଇଁ ଆମ ସାହସୀ ସୈନିକମାନେ ଶହୀଦ ହୋଇଛନ୍ତି । ଭାରତମାତାର ଏହି ସୁଯୋଗ୍ୟ ସନ୍ତାନମାନେ ଜାତୀୟ ଗର୍ବ ଓ ଗୌରବ ପାଇଁ ବଞ୍ଚିଥିଲେ ଏବଂ ସମାନ ଉଦ୍ଦେଶ୍ୟରେ ଶହୀଦ ହୋଇଛନ୍ତି । ଗଲୱାନ ଉପତ୍ୟକାର ଏହି ଶହୀଦମାନଙ୍କୁ ସମଗ୍ର ଦେଶ ସାଲ୍ୟୁଟ କରୁଛି । ପ୍ରତ୍ୟେକ ଭାରତୀୟ ଏହି ଶହୀଦମାନଙ୍କ ପରିବାର ନିକଟରେ କୃତଜ୍ଞ । ଯୁଦ୍ଧରେ ଆମର ଏହି ସାହସିକତା ଦେଖାଇ ଦେଇଛି ଯେ ଆମେ ଶାନ୍ତିରେ ବିଶ୍ୱାସ କରୁଥିଲେ ହେଁ ଆକ୍ରମଣର ଉଚିତ ଜବାବ ଦେବାକୁ ସକ୍ଷମ । ଆମ ପ୍ରତିରକ୍ଷା ବାହିନୀ, ଅର୍ଦ୍ଧସାମରିକ ବାହିନୀ ଏବଂ ପୁଲିସ ବାହିନୀର ସଦସ୍ୟଙ୍କ ପାଇଁ ଆମେ ଗର୍ବିତ । ସେମାନେ ଆମ ସୀମାକୁ ସୁରକ୍ଷିତ କରିବା ସହ ଆମର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁରକ୍ଷିତ କରିଛନ୍ତି ।
କରୋନା ବିରୋଧୀ ଲଢେଇରେ ଉଭୟ ଜୀବନ ଓ ଜୀବିକାର ସୁରକ୍ଷା ଅତ୍ୟାବଶ୍ୟକ ବୋଲି ମୁଁ ବିଚାର କରେ । ସାଂପ୍ରତିକ ସଂକଟକୁ ଏକ ସୁଯୋଗଭାବେ ଗ୍ରହଣ କରି ଏହି ଅବସରରେ ଆମେ ଆମ ଅର୍ଥନୀତିକୁ ସୁଦୃଢ କରିବାକୁ କେତେକ ସଂସ୍କାର ଆରମ୍ଭ କରିଛୁ । ଏହା ସମସ୍ତଙ୍କ କଲ୍ୟାଣ ଓ ହିତପାଇଁ ଉଦ୍ଦିଷ୍ଟ । ଏଥିରେ କୃଷକ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । କୃଷି କ୍ଷେତ୍ରରେ ଐତିହାସିକ ସଂସ୍କାର ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି । ଏବେ ଚାଷୀ ବାଧାମୁକ୍ତ କାରବାରର ସୁଯୋଗ ପାଇବେ । ନିଜର ଉତ୍ପାଦିତ ସାମଗ୍ରୀ ପାଇଁ ସର୍ବୋତ୍ତମ ମୂଲ୍ୟ ପାଇବାକୁ ସେମାନେ ଦେଶର ଯେକୌଣସି ସ୍ଥାନରେ ନିଜ ସାମଗ୍ରୀ ବିକି ପାରିବେ । ଚାଷୀଙ୍କ ପାଇଁ ଥିବା କେତେକ କଟକଣାକୁ ଉଚ୍ଛେଦ କରିବାକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯାଇଛି । ଏହା ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ।
ପ୍ରିୟ ନାଗରିକ,
୨୦୨୦ ବର୍ଷରେ ଆମେ କିଛି କଠୋର ଶିକ୍ଷା ପାଇଲେ । ମଣିଷ ପ୍ରକୃତିର ପ୍ରଭୁ ବୋଲି ଯେଉଁ ଧାରଣା ଥିଲା ଏକ ଅଦୃଶ୍ୟ ଭୂତାଣୁ ତାହାକୁ ମିଥ୍ୟା ପ୍ରମାଣିତ କରିଛି । ମୁଁ ଭାବୁଛି ମଣିଷ ନିଜକୁ ସଂଶୋଧନ କରି ପ୍ରକୃତି ସହ ସମନ୍ୱୟ ରକ୍ଷା ପୂର୍ବକ ବଞ୍ଚିବା ପାଇଁ ଏବେ ବି ଅଧିକ ବିଳମ୍ବ ହୋଇନାହିଁ । ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ଭଳି ଘଟଣାବଳୀ ବିଶ୍ୱ ସମୁଦାୟକୁ ଆମର ମିଳିତ ଭାଗ୍ୟ ସଂପର୍କରେ ଚେତାଇ ଦେଇଛି । ମୋ ବିଚାରରେ ବର୍ତ୍ତମାନ ପରିସ୍ଥିତିରେ ମାନବ କୈନ୍ଦ୍ରିକ ସହଯୋଗ, ଅର୍ଥ କୈନ୍ଦ୍ରିକ ସମାବେଶଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହି ପରିବର୍ତ୍ତନ ଯେତେ ଶୀଘ୍ର ହେବ ତାହା ମାନବ ସମାଜ ପାଇଁ ଅଧିକ ମଙ୍ଗଳକର ହୋଇପାରିବ । ମତଭେଦକୁ ଦୂରକରି ମାନବିକତା ଆଧାରରେ ବିଶ୍ୱକୁ ସୁରକ୍ଷିତ କରିବା ପାଇଁ ସହଯୋଗ ଭିତ୍ତିରେ କାମ କରିବା ନିମନ୍ତେ ଏକବିଂଶ ଶତାବ୍ଦୀକୁ ମନେ ରଖିବା ଉଚିତ ।
ଦ୍ୱିତୀୟ ଶିକ୍ଷାଟି ହେଉଛି- ଆମେ ସମସ୍ତେ ପ୍ରକୃତି ମା’ ନିକଟରେ ସମାନ । ଆମେ ଆମର ଜୀବନଧାରଣ ଓ ଅଭିବୃଦ୍ଧି ପାଇଁ ମୁଖ୍ୟତଃ ଆମ ସାଥୀନିବାସୀଙ୍କ ଉପରେ ନିର୍ଭର କରୁ । କରୋନା ସଂକ୍ରମଣ ମଣିଷ ସମାଜ ଦ୍ୱାର ସୃଷ୍ଟ । ଏହା କୃତ୍ରିମ ବିଭାଜନକୁ ଚିହ୍ନେନା । ଏଥିରୁ ଆମର ଶିକ୍ଷା ହେଲା ଆମକୁ ସମସ୍ତ ମନୁଷ୍ୟକୃତ ବିଭେଦ, ଧାରଣା, ପକ୍ଷପାତି ବିଚାର ଓ ପ୍ରତିବନ୍ଧକର ଉପରକୁ ଉଠିବାକୁ ପଡିବ । କରୁଣା ଏବଂ ପାରସ୍ପରିକ ସାହାଯ୍ୟ ଭାରତୀୟମାନଙ୍କ ଏକ ମୌଳିକ ମୂଲ୍ୟବୋଧ । ଆମ ଆଚରଣରେ ଏହାକୁ ଆଗକୁ ଅଧିକ ଦୃଢୀଭୂତ କରିବାକୁ ପଡିବ । ତେବେ ଯାଇ ଆମେ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ତିଆରି କରିପାରିବା ।
ସ୍ୱାସ୍ଥ୍ୟଗତ ଭିତ୍ତିଭୂମି ଓ ସୁବିଧା ସୁଯୋଗ ବଢାଇବା ଏହି ମହମାରୀର ତୃତୀୟ ଶିକ୍ଷା । ସରକାରୀ ହସପିଟାଲ ଓ ପରୀକ୍ଷାଗାରଗୁଡିକ କରୋନା ମହାମାରୀ ଲଢେଇରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ସରକାରୀ ସ୍ୱାସ୍ଥ୍ୟସେବା ଫଳରେ ଗରିବ ଲୋକେ ମହାମାରୀର ମୁକାବିଲା କରିବାରେ ସମର୍ଥ ହୋଇଛନ୍ତି । ତେଣୁ ଏଥିପାଇଁ ସରକାରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜଭୁତ ଏବଂ ସଂପ୍ରସାରିତ କରିବାକୁ ପଡିବ ।
ଏ କ୍ଷେତ୍ରରେ ଚତୁର୍ଥ ଶିକ୍ଷାଟି ହେଉଛି- ବିଜ୍ଞାନ ଓ ପ୍ରଯୁକ୍ତି ବିଷୟକ । ମହାମାରୀ ଚେତାଇ ଦେଇଛି ଯେ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପଡିବ । ଲକ୍‌ଡାଉନ ଓ ତା’ ପରବର୍ତ୍ତୀ ସମୟରେ ଶାସନ, ଶିକ୍ଷା, ବ୍ୟବସାୟ, ଅଫିସ କାର୍ୟ୍ୟ ଓ ସାମାଜିକ ସଂପର୍କ ରକ୍ଷାରେ ସୂଚନା ଓ ଯୋଗାଯୋଗ ଟେକ୍‌ନୋଲଜି ଏକ ସଫଳ ଆୟୁଧଭାବେ ପ୍ରମାଣିତ ହୋଇଛି । ଜୀବନରକ୍ଷା ଏବଂ ଜୀବିକା ଆରମ୍ଭ କାର୍ୟ୍ୟକ୍ରମ ଏହି ଦୁଇଟି କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇ ନିଜର ଅପରିହାର୍ୟ୍ୟତା ପ୍ରମାଣିତ କରିଛି ।
ଉଭୟ ଭାରତ ସରକାର ଓ ପ୍ରାଦେଶି ସରକାରଗୁଡିକର ଦପ୍ତରରେ କାର୍ୟ୍ୟ ସଂପାଦନରେ ଏବେ ବ୍ୟାପକଭାବେ ଭର୍ଚୁଆଲ ଇଣ୍ଟରଫେସ୍‌ ପ୍ରଚଳିତ ହେଉଛି । ନ୍ୟାୟପାଳିକା ମଧ୍ୟ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏବେ ଭର୍ଚୁଆଲ କୋର୍ଟ ଆୟୋଜନ କରୁଛନ୍ତି । ରାଷ୍ଟ୍ରପତି ଭବନରେ ମଧ୍ୟ ଭର୍ଚୁଆଲ କନ୍‌ଫରେନ୍ସ ଆୟୋଜନ ଏବଂ ଅନ୍ୟାନ୍ୟ କାର୍ୟ୍ୟରେ ନୂଆ ଟେକ୍‌ନୋଲଜି ବ୍ୟବହାର କରାଯାଉଛି । ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ଟୁଲ୍‌ସ ଇ-ଶିକ୍ଷା ଓ ଦୂରଶିକ୍ଷାକୁ ପ୍ରୋତ୍ସାହିତ କରୁଛି । ଅଧିକାଂଶ କ୍ଷେତ୍ରରେ ଘରୁ କାମ କରିବା ବା ୱାର୍କ ଫ୍ରମ ହୋମ୍‌ ଏକ ନୂଆ ଧାରା ସୃଷ୍ଟି କରିଛି । କେତେକ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଅଧିକ ସମୟ କାର୍ୟ୍ୟକରି ଆର୍ଥିକ ପ୍ରଗତିର ଚକକୁ ଆଗେଇ ନେବାପାଇଁ ଟେକ୍‌ନୋଲଜି ବିଶେଷ ସହାୟକ ହୋଇଛି । ଅତଏବ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ, ପ୍ରକୃତି ସହ ସମନ୍ୱୟ ରକ୍ଷା କରି ବଞ୍ଚିବା ଦ୍ୱାରା ଆମର ସ୍ଥିତି ରକ୍ଷା ଏବଂ ଅଭିବୃଦ୍ଧି ସାଧିତ ହୋଇପାରିବ ଆମେ ଏ କଥା ଶିଖିଲେ ।
ଏହିସବୁ ଶିକ୍ଷା ମାନବ ସମାଜ ପାଇଁ ବିଶେଷ ସହାୟକ ହେବ । ଯୁବପିଢି ମଧ୍ୟ ଏହି ଶିକ୍ଷା ଭଲଭାବେ ଲାଭ କରିଛି । ମୋର ବିଶ୍ୱାସ ଭାରତର ଭବିଷ୍ୟତ ସେମାନଙ୍କ ହାତରେ ନିରାପଦ । ଏବେ ଆମ ସମସ୍ତଙ୍କ ପାଇଁ ଦୁଃସମୟ ଚାଲିଛି । ଯୁବ ସମାଜ ପାଇଁ ଏହା ଆହୁରି ଖରାପ ସମୟ । ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବା ଫଳରେ ପାଠପଢୁଥିବା ଆମ ପୁଅଝିଅଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହେବ । ସେମାନଙ୍କର ସ୍ୱପ୍ନ ଓ ଆଶା ଆକାଂକ୍ଷା ଉପରେ ପ୍ରଭାବ ପଡିବ । ତେବେ ସେ ଯାହା ହେଉ ମୁଁ ସେମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଏହି ଦୁଃସମମୟ ବେଶୀକାଳ ରହିବ ନାହିଁ ଏବଂ ସେମାନେ ନିଜର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ଚଳାଇଥିବା ଉଦ୍ୟମରୁ ବିରତ ହେବା ଅନୁଚିତ । ସମାଜ, ଅର୍ଥନୀତି, ରାଷ୍ଟ୍ର ଆଦି ଧ୍ୱଂସଲୀଳା ପରେ କିପରି ସଫଳତାର ସହ ପୁନଃନିର୍ମିତ ହୋଇଛି ତାହାର ପ୍ରେରଣାଦାୟୀ ଓ ଚମତ୍କାର ଉଦାହରଣମାନ ଇତିହାସରେ ରହିଛି । ମୁଁ ନିଶ୍ଚିତ ଆମ ଦେଶ ଏବଂ ଆମ ଯୁବ ସମାଜର ଏକ ଉଜ୍ଜ୍ୱଳ ଭବିଷ୍ୟତ ରହିଛି ।
ଆମର ପିଲା ଓ ଯୁବକମାନଙ୍କୁ ଏକ ଭବିଷ୍ୟବାଦୀ ଶିକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି କାର୍ୟ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା କାର୍ୟ୍ୟକାରୀ ହେଲେ ଏକ ନୂଆ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ବିକଶିତ ହେବା ସହ ଭବିଷ୍ୟତର ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବ ଏବଂ ନୂଆ ଭାରତ ପାଇଁ ରାସ୍ତା ଦେଖାଇବ ବୋଲି ମୁଁ ଦୃଢ ନିଶ୍ଚିତ । ଆମର ଯୁବ ସମାଜ ନିଜ ନିଜର ଆଗ୍ରହ ଓ ମେଧା ଅନୁସାରେ ସ୍ୱାଧୀନଭାବେ ଏହି ବ୍ୟବସ୍ଥାରେ ନିଜର ପାଠ୍ୟ ବିଷୟ ବାଛିପାରିବେ । ଏହାଦ୍ୱାରା ସେମାନେ ନିଜର ଦକ୍ଷତା ଅନୁଭବ କରିବାର ସୁଯୋଗ ପାଇବେ । ଆମର ଭବିଷ୍ୟତର ବଂଶଧର ଏହି ନବସାମର୍ଥ୍ୟ ଦ୍ୱାରା କେବଳ ନିଯୁକ୍ତି ପାଇବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ।
ନୂଆ ଶିକ୍ଷାନୀତିର ଦୀର୍ଘମିଆଦୀ ଲକ୍ଷ୍ୟ ଏବଂ ବ୍ୟାପକ ପ୍ରଭାବ ରହିଛି । ଶିକ୍ଷା କ୍ଷେତ୍ରରେ ସମାବେଶୀ ସଂସ୍କୃତି, ନବସୃଜନ ଓ ଅନୁଷ୍ଠାନ ନିର୍ମାଣକୁ ଏହା ଦୃଢୀଭୂତ କରିବ । ମାତୃଭାଷାରେ ଶିକ୍ଷାଦାନକୁ ଯେଉଁ ଗୁରୁତ୍ୱ ଦିଆଯାଇଛି ତଦ୍ଵାରା କୋମଳମତି ଶିଶୁଙ୍କ ମସ୍ତିଷ୍କ ସ୍ୱଭାବିକଭାବେ ବିକଶିତ ହେବ । ଏହାଦ୍ୱାରା ଭାରତୀୟ ଭାଷା ସମୂହ ମଧ୍ୟ ସଶକ୍ତ ହୋଇ ଦେଶର ଏକତାକୁ ଦୃଢୀଭୂତ କରିବେ । ଯୁବ ସଶକ୍ତୀକରଣ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଅପରିହାର୍ୟ୍ୟ । ଜାତୀୟ ଶିକ୍ଷାନୀତି ଏ ଦିଗରେ ଏକ ଉଚିତ ପଦକ୍ଷେପ ।
ମୋର ପ୍ରିୟ ଦେଶବାସୀ,
ମାତ୍ର ୧୦ଦିନ ପୂର୍ବରୁ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିଠାରେ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି । ଆମ ସମସ୍ତଙ୍କ ପାଇଁ ବାସ୍ତବରେ ଏହା ଏକ ଗର୍ବର ମୁହୂର୍ତ୍ତ । ଦେଶବାସୀ ଦୀର୍ଘକାଳ ଯାଏଁ ଧୈର୍ୟ୍ୟ ଓ ସଂଯମ ପ୍ରଦର୍ଶନ କରି ନ୍ୟାୟପାଳିକା ଉପରେ ଅକୁଣ୍ଠ ବିଶ୍ୱାସ ସ୍ଥାପନ କରିଥିଲେ । ରାମ ଜନ୍ମଭୂମି ବିବାଦ ନ୍ୟାୟିକ ପ୍ରକ୍ରିୟାରେ ସମାଧାନ ହୋଇଥିଲା । ସମସ୍ତ ସଂପୃକ୍ତ ପକ୍ଷ ଏବଂ ଜନସାଧାରଣ ସମ୍ମାନର ସହ ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କରିଥିଲେ । ଏହା ମାଧ୍ୟମରେ ସେମାନେ ଶାନ୍ତି, ଅହିଂସା, ସମନ୍ୱୟ ପ୍ରତି ଶ୍ରଦ୍ଧା ଭଳି ଭାରତୀୟ ସଂବୃତି ଓ ମୂଲ୍ୟବୋଧକୁ ସମଗ୍ର ବିଶ୍ୱ ଆଗରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଶଂସନୀୟ ବ୍ୟବହାର ପାଇଁ ଦେଶବାସୀଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।
ପ୍ରିୟ ଦେଶବାସୀ,
ଭାରତ ଯେତେବେଳେ ସ୍ୱାଧୀନ ହେଲା ସେତେବେଳେ ଅନେକଙ୍କର ଅନୁମାନ ଥିଲା ଯେ ଗଣତନ୍ତ୍ର ସହିତ ଆମର ପରୀକ୍ଷା ନିରୀକ୍ଷା ବେଶୀଦିନ ଚାଲିବ ନାହିଁ । ଶାସନର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନେ ଆମର ପ୍ରାଚୀନ ପରମ୍ପରା ଓ ସମୃଦ୍ଧ ବିବିଧତାକୁ ଏକ ପ୍ରତିବନ୍ଧକଭାବେ ଦେଖିଥିଲେ; କିନ୍ତୁ ଆମେ ସବୁବେଳେ ଏହି ବିବିଧତା ଓ ପରମ୍ପରାକୁ ଏକ ଶକ୍ତିଭାବେ ଗ୍ରହଣ କରିଆସିଛୁ ଏବଂ ଏହା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ଏବେ ଚମକାଉଛି । ମାନବ କଲ୍ୟାଣ ପାଇଁ ଭାରତକୁ ତାହାର ନେତୃତ୍ୱ ଭୂମିକା ବଜାୟ ରଖିବାକୁ ପଡିବ ।
ଏହି ମହାମାରୀ କାଳରେ ଆପଣମାନେ ଯେଉଁ ଧୈର୍ୟ୍ୟ ଓ ପ୍ରଜ୍ଞା ପ୍ରଦର୍ଶନ କରି ପରିସ୍ଥିତି ସହ ନିଜକୁ ଖାପଖୁଆଇ ଚଳୁଛନ୍ତି ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି । ମୋର ବିଶ୍ୱାସ ଆପଣମାନେ ଏହି ସତର୍କତା ଅବଲମ୍ବନ କରି ଦାୟିତ୍ୱପୂର୍ଣ୍ଣଭାବେ ଆଗକୁ କାର୍ୟ୍ୟ କରିବେ ।
ବୌଦ୍ଧିକ, ଆଧ୍ୟାତ୍ମିକ ଏବଂ ବିଶ୍ୱ ଶାନ୍ତି କ୍ଷେତ୍ରରେ ଆନ୍ତର୍ଜାତିକ ସମୁଦାୟକୁ ଆମକୁ ଯଥେଷ୍ଟ କିଛି ପ୍ରଦାନ କରିବାର ଅଛି । ଏହି ଭାବନାର ସହିତ ମୁଁ ସମସ୍ତଙ୍କର କଲ୍ୟାଣ କାମନା କରି ଏହି ପ୍ରାର୍ଥନା ଗାଉଛି ।
ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ ।
ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା’ କଶ୍ଚିଦ ଦୁଃଖଭା ଭବେତ୍‌ ।
ଅର୍ଥାତ୍‌ ସମସ୍ତେ ଖୁସିରେ ରୁହନ୍ତୁ ।
ସମସ୍ତେ ସୁସ୍ଥ ରୁହନ୍ତୁ ।
ସମସ୍ତେ ଶୁଭାଶୁଭ ଦେଖନ୍ତୁ ।
କେହି ଦୁଃଖରେ ନ ରୁହନ୍ତୁ ।
ଏହି ପ୍ରାର୍ଥନାର ବାର୍ତ୍ତା ବିଶ୍ୱର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏବଂ ମାନବ ସମାଜକୁ ଭାରତର ଏହା ଏକ ଅନୁପମ ଉପହାର ।
ମୁଁ ପୁଣି ଥରେ ୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆପଣମାନଙ୍କୁ ଅଭିବାଦନ ଜ୍ଞାପନ କରୁଛି । ଆପଣମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି ।
ଧନ୍ୟବାଦ ।
ଜୟହିନ୍ଦ ।

Leave A Reply

Your email address will not be published.