ଶ୍ରୀକ୍ଷେତ୍ର ପୁରୀରେ ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ର ବନ୍ଧୁ ମିଳନ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ ତଥା ପୁରୀର ପୂର୍ବତନ ସୈନିକ ଏବଂ ବୀର ନାରୀମାନଙ୍କ ମିଳିତ ଉଦ୍ୟମରେ ଶ୍ରୀ ଗୁଣ୍ଡିଚା ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନ୍‌ର ସଭାପତି ମହେଶ୍ୱର ବେହେରା, ବଲାଙ୍ଗିର ପୂର୍ବତନ ସୈନକ ସଂଘର ସଂପାଦକ ତଥା ଅଲ୍‌ ଓଡିଶା ଭେଟ୍‌ରେନ୍‌ ସୋଲଜରସ୍‌ ଏସୋସିଏସନର ଉପସଭାପତି ପ୍ରତାପ ଚନ୍ଦ୍ର ରଥ, ସଂପାଦକ ଉମେଶ କୁମାର ଚଇନି, ଉପଦେଷ୍ଟା ରାଇଚରଣ ମହାନ୍ତି, ସଦସ୍ୟ ବୈଦ୍ୟନାଥ ଆଚାର୍ଯ୍ୟ, ସଦସ୍ୟ ସୁଶାନ୍ତ ମହାନ୍ତି ପ୍ରମୁଖ ମଂଚାସୀନ ଥିବା ବେଳେ ଓଡିଶାର ବିଭିନ୍ନ ଜିଲ୍ଲାର ଆସିଥିବା ଶତାଧିକ ପୂର୍ବତନ ସୈନିକମାନେ ଉପସ୍ଥିତ ଥିଲେ । ବୈଠକର ସଭାପତି ରାମଚନ୍ଦ୍ର ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ଓଡିଶାର ସମସ୍ତ ପୂର୍ବତନ ସୈନିକ ଏବଂ ସହୀଦ ପରିବାର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ତଥା ରାଜ୍ୟ ସରକାର ଅଣଦେଖା କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟ ସେବା ସୁବିଧା(ଇସିଏଚ୍‌ଏସ୍‌), କେନ୍‌ଟିନ୍‌ ସୁବିଧା, ଯୋଗ୍ୟ ପୂର୍ବତନ ସୈନିକ ତଥା ସହୀଦ ପରିବାରଙ୍କୁ ସରକାରୀ ଜମି ପ୍ରଦାନ, ଯୋଗ୍ୟତା ଭତ୍ତିରେ ପୂର୍ବତନ ସୈନିକମାନଙ୍କୁ ଥଇଥାନ, ପୂର୍ବତନ ସୈନିକମାନଙ୍କ ପୁଅ ଓ ଝିଅ ମାନଙ୍କ ପାଇଁ ମେଡିକାଲ, ଇଂଜିନିୟରିଂ କଲେଜ ଏବଂ ସରକାରୀ କଲେଜ ମାନଙ୍କରେ ସଂରକ୍ଷଣ ବୃଦ୍ଧି କରିବା, ପ୍ରଶାସନିକ କ୍ଷେତ୍ରରେ ଅବହେଳା ହେଉଥିବା ସମସ୍ତ ପୂର୍ବତନ ସୈନିକ ଏବଂ ବୀର ନାରୀ ଅଭିଯୋଗ କରିଥିଲେ । ସର୍ବସମ୍ମତି କ୍ରମେ ପୁରୀରେ ନୂତନ ଭାବରେ ପୂର୍ବତନ ସୈନିକ ସଂଘ ଗଠନ କରାଗଲା । ଏଥିରେ ସଭାପତି ଦୁର୍ଗାଚରଣ ଦାସ, ଉପସଭାନେତ୍ରୀ ବୀର ନାରୀ ନିରୂପମା ଶତପଥୀ, ସଂପାଦକ ରାମଚନ୍ଦ୍ର ମହାପାତ୍ର, ସହ ସଂପାଦିକା ବୀର ନାରୀ ସରୋଜିନୀ ମହାପାତ୍ର, କୋଷାଧ୍ୟକ୍ଷ ସାହେବ ଚରଣ ସ୍ୱାଇଁ, ଉପଦେଷ୍ଟା ଭାବେ ରାଇ ଚରଣ ମହାନ୍ତି, ବିଶ୍ୱନାଥ ମିଶ୍ର, ପ୍ରଫୁଲ୍ଲ ମହାପାତ୍ର ଏବଂ ସତ୍ୟପ୍ରିୟ ଜେନାଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ବୈଠକର ନିଷ୍ପତ୍ତି କ୍ରମେ ଆଗାମୀ ଦିନରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ । ଯଦି ସରକାର ପୂର୍ବତନ ସୈନିକ, ସହୀଦ ପରିବାରଙ୍କ ସମସ୍ୟା ଉପରେ ବିଚାର ନକରନ୍ତି ତେବେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ବୈଠକରେ ମତ ପ୍ରକଶ ପାଇଥିଲା । ଶେଷରେ ସଂଘର ସଂପାଦକ ଉମେଶ କୁମାର ଚଇନି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଦାସର୍ବଦା ସହଯୋଗ କାମନା କରିଥିଲେ । ବନ୍ଧୁ ମିଳନ ଉତ୍ସବରେ ଶ୍ରୀ ଜଗନ୍ନାଥଙ୍କ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା ।

Leave A Reply

Your email address will not be published.