କେନ୍ଦ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତିଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ ଓ କାର୍ଯ୍ୟ ସମୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଖାଉଟି ବ୍ୟାପାର ଖାଦ୍ୟ ସାଧାରଣ ବଣ୍ଟନ ଓ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ଗତକାଲି ଓ ଆଜି ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଗ୍ରାମ୍ୟଉନ୍ନୟନ ସଂସ୍ଥାର ସଭାଗୃହରେ ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ତଥା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଏନଜିଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।

ଏହି ବୈଠକରେ ଏମପି ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଙ୍ଗା ବିଧାୟକ ଡା. ମୁକେଶ ମହାଲିଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କ ଅତିରିକ୍ତ ପ୍ରାଇଭେଟ ସେକ୍ରେଟାରୀ ସୌରଭ ଅଗ୍ରୱାଲ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଚନ୍ଦ୍ର ଶେଖର କୁମାର, ବଲାଙ୍ଗିର ଜିଲାପାଳ ଚଞ୍ଚଲ୍ ରାଣା, ପିଡିଡିଆରଡିଏ ସୁଶାନ୍ତ କୁମାର ସିଂହ, ଅତିରିକ୍ତ ଜିଲାପାଳ ମହେନ୍ଦ୍ର କୁମାର ମହାପାତ୍ରଙ୍କ କୃଷି ଗ୍ରାମ୍ୟ ଉନ୍ନୟନ ଶିକ୍ଷା ଉନ୍ନୟନ ସାମାଜିକ କଲ୍ୟାଣ, ମଙ୍ଗଳ, ଖାଦ୍ୟ ଯୋଗାଣ ଓ ଖାଉଟିସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ନୀତି ଆୟୋଗ ଦ୍ଵାରା ୨୦୧୮ ମସିହାରେ ବଲାଙ୍ଗିର ଜିଲ୍ଲା ଏକ ଆକାଂକ୍ଷୀ ଜିଲ୍ଲା ଭାବେ ପରିଣତ ହେବା ପରଠାରୁ ଅଦ୍ୟାବଧି ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ମାପଦଣ୍ଡ ସମ୍ପର୍କିତ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ବଲାଙ୍ଗିର ଜିଲ୍ଲାରେ ସ୍ଵାସ୍ଥ୍ୟ ଓ ପୋଷଣ କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିର ବିନିଯୋଗ ମିଶନ୍ ଇନ୍ଦ୍ରଧନୁସ, ଟୀକାକରଣ ତଥା ଅନ୍ୟାନ୍ୟ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସେବାର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାର ସମୀକ୍ଷା କରିବା ସହ ଜିଲ୍ଲାରେ ଅଦ୍ୟାବଧି ଏହି ଯୋଜନାରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତା ତଥା ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଜିଲ୍ଲାରେ କୃଷକ ମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଏହା ବ୍ୟତୀତ ପିଏମ୍ ମିଶନ୍, ପ୍ରଧାନମନ୍ତ୍ରୀ କୃଷି ଜଳସେଚନ କାର୍ଯ୍ୟକ୍ରମ, ଜନଜୀବନ ମିଶନ୍ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରୀତା, ଗ୍ରାମୀଣ ବିଦ୍ୟୁତ୍ କରଣ ଯୋଜନା ଆଦି ସମ୍ପର୍କରେ ସମୀକ୍ଷା କରିବା ସହ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ରୂପାୟନରେ ପାରଦର୍ଶିତା ଅବଲମ୍ବନ କରିବାକୁ ବିଭାଗୀୟ ଅଧିକାରୀମାନକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗୃହ ଯୋଜନାରେ ଜିଲାରେ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ନୀତି ଆୟୋଗ ଦ୍ଵାରା ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ନିମନ୍ତେ ଅନୁମୋଦିତ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ ।

ଜିଲ୍ଲାପାଳ ଶ୍ରୀ ରାଣା ବୈଠକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ଵାଗତ କରିବା ସହ ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମର ରୁପରେଖା କାର୍ୟ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ମନ୍ତ୍ରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କର ସେମାନଙ୍କ ବ୍ୟବସାୟ ଓ ଏହାଦ୍ଵାରା ସେମାନେ କିପରି ଆତ୍ମନିର୍ଭର ହୋଇପାରିଛନ୍ତି ସେ ସମ୍ପର୍କରେ ଅନୁଭୂତି ଜଣାଇଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ସମ୍ପର୍କରେ ଜାଣି ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ମନ୍ତ୍ରୀ ଏନ୍‌ଜିଓ କର୍ମକର୍ତ୍ତାମାନଙ୍କ ସହ ସେମାନଙ୍କ ଅନୁଷ୍ଠାନ ଦ୍ଵାରା ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ବଲାଙ୍ଗିର ଜିଲ୍ଲା କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେ ଦିଗରେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ । ସମୀକ୍ଷା ପରେ ମନ୍ତ୍ରୀ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଲରକିପାଲି ସ୍ଥିତ ସରକାରୀ ଆଇ ଟି ଆଇ ସ୍ଥିତ ଦୀନଦୟାଲ୍ ଉପାଧ୍ୟାୟ ଗ୍ରାମୀଣ କୌସଲ୍ୟ ଯୋଜନା ଜରିଆରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଝଙ୍କାର ପାଲି ଗ୍ରାମପଞ୍ଚାୟତ ଅଧୀନସ୍ଥ ସିଆଲ୍ ବାହାଲି ଗ୍ରାମକୁ ଯାଇ ସେଠାରେ ଉଦ୍ୟାନ କୃଷି ପେକ ହାଉସ ଓ ସବଜି କୁଲର୍ ପରିଦର୍ଶନ କରିବା ସହ ଉପସ୍ଥିତ ହିତାଧିକାରୀ ମାନଙ୍କ ସହିତ ଏହାର କାର୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକୁ ପ୍ରସଂଶା କରିବା ସହିତ ଏହାକୁ ଜିଲ୍ଳାରେ ଅଧିକ ଭାବେ କାର୍ୟ୍ୟକାରି କରିବାକୁ ପରାମର୍ଶ ଦେଇଥିଲେ । ପରେ ସେ ଚୁଡାପଲ୍ଲୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.

error: Content is protected !!