csstore

ରତାଖଣ୍ଡିରେ ଆଦିବାସୀ ସମାବେଶ : ଆଦିବାସୀ ସଂରକ୍ଷିତ ଆସନରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ରତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ସଂଘର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଆସନ ଗୁଡିକରେ ଆଦିବାସୀ ସମାଜର ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ପାଇଁ ସ୍ଥିର ହୋଇଥିଲା । ଏଥିସହିତ ଏହି ଆସନ ଗୁଡିକରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଦିବାସୀ ମାନଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ କରିବାକୁ ନିଜ ସମାଜର ଲୋକଙ୍କ ମଧ୍ୟରେ ଲଢ଼େଇ କରି ଖର୍ଚ୍ଚାନ୍ତ ନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିପରି ଆଦିବାସୀଙ୍କ ପାଇଁ ସଂରକ୍ଷିତ ପାଟଣାଗଡ, ଆଗଲପୁର ଏବଂ ଗୁଡଭେଲା ବ୍ଲକର ଅଧ୍ୟକ୍ଷ ପଦବୀ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ତଥା ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିବା ଦିଗରେ ପଦକ୍ଷେପ ନେବାକୁ ଆହ୍ୱାନ ଦିଆଯାଇଥିଲା । ଭାରତୀୟ ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ହାସଲ ସକାଶେ ସମସ୍ତ ଆଦିବାସୀ ଏକଜୁଟ ହେଲେ ଆଦିବାସୀ ସମାଜର ସାମାଜିକ, ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ତଥା ଶିକ୍ଷାର ବିକାଶ ହୋଇପାରିବ । ଫଳରେ ଆଦିବାସୀ ମାନେ ଦେଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ନିରଞ୍ଜନ ବିଶି, ସର୍ବଭାରତୀୟ ବିନ୍ଧ୍ୟବାସିନୀ ବିଞ୍ଝାଳ ସମାଜ ବରଗଡ଼ର ହୃଷିକେଶ ବରିହା, ସାଧାରଣ ସମ୍ପାଦକ ଆଶାରାମ ବରିହା, ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ପୁରୁଷୋତ୍ତମ ଧରୁଆ, ପାଟଣାଗଡ ବ୍ଲକ ସଭାପତି ଅଷ୍ଟରତ୍ନ ବରିହା, ଲୋଇସିଂହା କାର୍ଯ୍ୟକାରୀ ସଭାପତି ଦଶରଥ ଛତ୍ରିଆ, ଆଗଲପୁର କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ, ସମ୍ପାଦକ ସାରଥୀ ବାଗ ପ୍ରମୁଖ ଉଦବୋଧନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ଗୋପାଳ ପ୍ରଧାନ, ରୁକ୍ମଣ ଧରୁଆ, ଜଳ ଧରୁଆ, ସ୍ୱତନ୍ତ୍ର କନ୍ଦା, ଗୁରୁ ବରିହା ପ୍ରମୁଖ ମଞ୍ଚାସୀନ ଥିଲେ । ସତ୍ୟ ଦଳପତି ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.