ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ, ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଆବାସ ଯୋଜନା ପ୍ରଣିତ ହୋଇଛି । ଲୋକେ ଯେପରି ଏହି ଯୋଜନାରେ ସାମିଲ୍ ହୋଇ ପାରିବେ, ସେଥିପାଇଁ ବିଭାଗୀୟ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ଅଛି । କିନ୍ତୁ ଅଫିସ୍ର ବାବୁ ମାନେ ପାତର ଅନ୍ତର କରି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ସଲା ସୁତୁରା କରି ଆବାସ ବଣ୍ଟନ କରୁଥିବା ଅଭିଯୋଗ ହେଉଛି । ପଦ୍ମପୁର ବ୍ଳକ କଂସର ଗ୍ରାମ ପଞ୍ଚାୟତ କୁଡାସିଂହା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଘର ଖଣ୍ଡିଏ ପାଇବାକୁ ଅନେକ ଥର ଆବେଦନ କରିଥିଲେ ମଧ୍ୟ ଘର ପାଇପାରୁ ନାହାଁନ୍ତି କୁଡାସିଂହା ଗ୍ରାମର ଜଣେ ଗରିବ ଖଟିଖିଆ ବନମାଳି ମହାନନ୍ଦଙ୍କ ପରିବାର ଲୋକେ । ସେ ଶୀତ କାକର, ବର୍ଷା, ପ୍ରବଳ ଖରା ଦିନରେ ଭଙ୍ଗା କୁଡ଼ିଆ ଘରେ ବସବାସ କରୁଛନ୍ତି । ସେ ଅନେକ ଥର ପ୍ରଶାସନକୁ ଜଣାଇଛନ୍ତି । ହେଲେ କିଛି ଫଳପ୍ରଦ ହୋଇନାହିଁ । ସେହିପରି ଏହି ଗ୍ରାମର ସନ୍ତୋଷ ନାଗ ଜଣେ ଗରିବ ଦିନ ମଜୁରିଆ ବ୍ୟକ୍ତି । ତାଙ୍କର ମଧ୍ୟ ଭଲ ଘର ଖଣ୍ଡିଏ ନାହିଁ । ସେ ଅନ୍ୟ ଘରେ ଆଶ୍ରୟ ନେଇ ଜୀବନଯାପନ କରୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନାରୁ ଏହି ଗରିବ ଲୋକଙ୍କୁ ଘର ଖଣ୍ଡିଏ ଲେଖାଏଁ ଯୋଗାଇ ଦେବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।