ମାନବିକତାର ନିଆରା ପରମ୍ପରା : ଅପରିଚିତ ଲୋକଙ୍କ ଶବକୁ ଚାରିକାନ୍ଧ ଦେଲେ ଦମ୍ପତ୍ତିଙ୍କ ସହ ପୁତ୍ର, କନ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚିହ୍ନା ନାହିଁ କି ଜଣା ନାହିଁ । ପରିଚିତ ନୁହଁନ୍ତି । ଜାତି ଗୋତ୍ରର ବିଚାର ନାହିଁ । ଆତ୍ମୀୟ ସ୍ୱଜନଙ୍କଠାରୁ ହତାଦର ହୋଇ ନିଃସହାୟ ଭାବେ ମୃତ୍ୟୁବରଣ କରିଥିବା ତିନି ତିନି ଜଣ ବ୍ୟକ୍ତିଙ୍କୁ ଗୋଟିଏ ପରିବାରର ପିତା, ପୁତ୍ର, କନ୍ୟା, ପତ୍ନୀ ଶବକୁ ଚାରିକାନ୍ଧ ଦେଇ ମାନବିକତାର ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ମିଳିଥିବା ସୂଚନାନୁସାରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ନିକଟସ୍ଥ ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମରେ ରବିବାର ଓ ସୋମବାର ଦୁଇଦିନ ମଧ୍ୟରେ ତିନିଜଣ ନିଃସହାୟ ବୃଦ୍ଧବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ସେମାନେ ହେଲେ ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତ ଅନ୍ତର୍ଗତ କର୍ଲେର ଶୁଭା ନାଗ(୮୧) ଏବଂ ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତର ମୋତିଲାଲ ଗୁପ୍ତା (୭୨), ଛତିଶଗଡ଼ ରାଜ୍ୟର ଲକ୍ଷ୍ମୀବାଈ(୮୩) । ଦୀର୍ଘ ଦୁଇମାସରୁ ଅଧିକ ଦିନ ହେଲା ସେମାନେ ବ୍ରୁଦ୍ଧାଶ୍ରମରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ । ରବିବାର ଶୁଭା ନାଗ ଏବଂ ସୋମବାର ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସାମାଜିକ କର୍ମୀ ତଥା ବୃଦ୍ଧାଶ୍ରମର ସମ୍ପାଦକ ଜଳନ୍ଧର ପଟେଲ ସେମାନଙ୍କ ଶବ ସତ୍କାର କରିବାକୁ ଅଣ୍ଟା ଭିଡି଼ଥିଲେ । ସ୍ୱାମୀଙ୍କର ଏତାଦୃଶ କାମକୁ ସଫଳ କରିବାକୁ ପତ୍ନୀ ଯଶୋବନ୍ତୀ ପତିଙ୍କ ପଦାଙ୍କ ଅନୁସରଣ କରିଥିବା ବେଳେ କନ୍ୟା ସ୍ବାଗତିକା, ପୁତ୍ର ବିକାଶ ପିତାଙ୍କ ସହିତ ଶବକୁ ଚାରି କାନ୍ଧ ଦେଇଥିଲେ । ପରେ ଶବମାନଙ୍କୁ ସତ୍କାର କରାଯାଇଥିଲା । ଫୁଲୁ ପରିଡ଼ା, ଶିବ ବିଶି, ସୁବାଷ ପଧାନ, ପାଣ୍ଡବ ପଧାନ, ଉଷା ପୁରି, ଗୁପ ଭୁଏ, ନିରାକାର ବିଶ୍ବାଳ ପ୍ରମୁଖ ଶବ ସତ୍କାରରେ ସହଯୋଗ କରିଥିଲେ ।

Leave A Reply

Your email address will not be published.