ଡିଆର୍‌ଡିଓ ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୟାଙ୍କ ନିରୋଧୀ ସ୍ୱଦେଶୀ ଷ୍ଟାଣ୍ଡଅଫ୍‌ କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ଡିଜାଇନ ଏବଂ ବିକଶିତ କରାଯାଇଥିବା ଟ୍ୟାଙ୍କ ନିରୋଧୀ ଷ୍ଟାଣ୍ଡଅଫ କ୍ଷେପଣାସ୍ତ୍ର (ଏସଏଏନଟି)ର ବିମାନ ପରୀକ୍ଷଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ରକୁ ପୋଖରାନ ରେଞ୍ଜରୁ ଡିସେମ୍ବର ୧୧, ୨୦୨୧ରେ ହେଲିକପ୍ଟର ମାଧ୍ୟମରେ ନିକ୍ଷେପ କରାଯାଇ ପ୍ରତ୍ୟାଶିତ ସଫଳତା ମିଳିଥିଲା । ଏହି ବିମାନ ପରୀକ୍ଷଣ ମିଶନର ସମସ୍ତ ଲକ୍ଷ୍ୟ ହାସଲ କରିଥିଲା । ନିକ୍ଷେପ ବ୍ୟବସ୍ଥା, ଆଧୁନିକ ଗାଇଡାନ୍ସ ଓ ଟ୍ରାକିଂ ଆଲଗୋରିଦିମ, ସମନ୍ବିତ ସଫ୍ଟୱେର ସହିତ ସମସ୍ତ ଏଭିଓନିକ୍ସ ସନ୍ତୋଷଜନକ ପରିଣାମ ପ୍ରଦାନ କରିଥିଲା ଏବଂ ଟ୍ରାକିଂ ସିଷ୍ଟମ ଜରିଆରେ ମିଶନର ସମସ୍ତ ଘଟଣାକ୍ରମକୁ ଅନୁଧ୍ୟାନ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରରେ ଆଧୁନିକ ଏମଏମଡବ୍ଲୁ ସିକର ସଂଯୋଗ କରାଯାଇଛି ଯାହାକି ନିରାପଦ ଦୂରତାରେ ରହି ଉଚ୍ଚ ସଠିକତା ସହିତ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ । ଏହି ଅସ୍ତ୍ର ୧୦ କିମି ଦୂରତା ପର୍ୟ୍ୟନ୍ତ ଲକ୍ଷ୍ୟ ଭେଦ କରିବା ଲାଗି ସକ୍ଷମ ।
ଅନ୍ୟ ଡିଆରଡିଓ ପରୀକ୍ଷାଗାର ଏବଂ ବିଭିନ୍ନ ଉଦ୍ୟୋଗର ସହଭାଗିତାରେ ଏସଏଏନଟି କ୍ଷେପଣାସ୍ତ୍ର ହାଇଦ୍ରାବାଦର ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଦ୍ବାରା ଡିଜାଇନ ଏବଂ ବିକଶିତ କରାଯାଇଛି। ଭାରତୀୟ ବାୟୁ ସେନାର ଅସ୍ତ୍ର କ୍ଷମତାକୁ ସୁଦୃଢ଼ କରିବା ଲାଗି ନିକଟରେ ଦୀର୍ଘ ଦୂରଗାମୀ ବୋମା ଏବଂ ସ୍ମାର୍ଟ ଏୟାରଫିଲ୍ଡ ନିରୋଧୀ ଅସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହାପରେ ପରୀକ୍ଷା କରାଯାଇଥିବା ସ୍ବଦେଶୀ ଷ୍ଟାଣ୍ଡଅଫ ଅସ୍ତ୍ର ପରୀକ୍ଷଣ ସିରିଜର ଏହା ଥିଲା ତୃତୀୟ ପରୀକ୍ଷଣ । ଆଧୁନିକ ପ୍ରଯୁକ୍ତି ସହିତ ବିଭିନ୍ନ ପ୍ରକାର ପ୍ରୟୋଗ ପାଇଁ ଏକାଧିକ କନଫିଗୁରେସନ ସହିତ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ବିକାଶ କରାଯିବା ଫଳରେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ‘ଆତ୍ମନିର୍ଭରତା’ ଦିଗରେ ଅଗ୍ରସର ହୋଇପାରିବ ।
ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ମିଶନ ସହ ଜଡ଼ିତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କହିଛନ୍ତି ଯେ ଏସଏଏନଟିର ସଫଳ ବିମାନ ପରୀକ୍ଷଣ ପରେ ଭାରତର ସ୍ବଦେଶୀ ପ୍ରତିରକ୍ଷା ସାମର୍ଥ୍ୟ ଆହୁରି ସୁଦୃଢ଼ ହେବ ।

Leave A Reply

Your email address will not be published.