ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନକୁ ପ୍ରତ୍ୟାହାର ଦାବୀ, ଆସନ୍ତା ନଭେମ୍ବର ୨୬/୧୧/୨୦୨୧କୁ ଚାଷୀ ଆନ୍ଦୋଳନର ଏକ ବର୍ଷ ପୂରଣ ହେବାକୁ ଯାଉଥିବା ପୂର୍ବରୁ ମୋଦି ସରକାର ଆନ୍ଦୋଳନ ଚାପରେ ଆଜି ୩ କଳା କୃଷି ଆଇନ ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଛନ୍ତି । ଚାଷୀ ଆନ୍ଦୋଳନର ଏହି ଐତିହାସିକ ବିଜୟ ଉପଲକ୍ଷେ ଏଆଇକେକେଏମ୍ଏସ୍ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାରରେ ସଭା କରାଯାଇ ଆନ୍ଦୋଳକାରୀ ଚାଷୀ, ଶ୍ରମିକ, ଛାତ୍ର, ଯୁବକ, ବୁଦ୍ଧିଜୀବୀ ସର୍ବୋପରି ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସଭାରେ ଏଆଇକେକେଏମ୍ଏସ୍ର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ୩ କଳା କୃଷି ଆଇନ କାର୍ଯ୍ୟକାରୀ ହେଲେ ଚାଷୀମାନେ କେମିତି କ୍ଷତିଗ୍ରସ୍ତ ହୋଇ ଥାଆନ୍ତେ, ସେ ବିଷୟରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏମ୍ଏସ୍ପିକୁ ଆଇନର ଗ୍ୟାରେଣ୍ଟି ଦେବାଯାଏ ଆନ୍ଦୋଳନ ଅବ୍ୟାହତ ରଖିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଡେଲାଙ୍ଗ ବ୍ଲକ ସଭାପତି ଓ ସମ୍ପାଦକ ଯଥାକ୍ରମେ କମ୍ରେଡ଼ ଦୀନବନ୍ଧୁ ପରିଡା ଓ ବଟକୃଷ୍ଣ ସ୍ୱାଇଁ, ଗୋଲଖ ବରାଳ, ତ୍ରିନାଥ ପ୍ରଧାନ ପ୍ରମୁଖ କର୍ମୀମାନେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
Prev Post
Next Post