ସାମ୍ବାଦିକଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବାଦୀପଡା ଲାଂଥ ବ୍ରିଜର ଦୀର୍ଘ ବର୍ଷ ହେବ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନେକ ଥର ଲୋକେ ରାଜରାସ୍ତାକୁ ଓହ୍ଲାଇ ଖୁବଶୀଘ୍ର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଦାବୀ କରି ରାସ୍ତା ଅବରୋଧ ମଧ୍ୟ କରିଥିଲେ । ପ୍ରଶାସନ ପ୍ରତିଶୃତି ଦେଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ହୋଇ ପାରିନାହିିଁ କାର୍ଯ୍ୟ। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ତେବେ ଏହାର ତଦାରଖ କରିବା ପାଇଁ ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଗତକାଲି ଆସିଥିଲେ । ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିଲେ, କେତେ ବର୍ଷ ଆଉ ଲାଗିବ ଏହି ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ । ଏତିକି ବେଳେ ଗଣମାଧ୍ୟମ ପ୍ରତିନିଧି ମାନେ ଭିଡ଼ିଓ ସୁଟିଙ୍ଗ କରୁଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ସାମ୍ବାଦିକଙ୍କ ମୋବାଇଲ୍‌କୁ ଛଡେଇ ନେବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ସାମ୍ବାଦିକ ଜଣକ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଘଟିବା ପରେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିଜେପିର ବରିଷ୍ଠ ନେତା ମହେନ୍ଦ୍ର ଠାକୁର ଦୃଢ ନିନ୍ଦା କରିବା ସହ ମନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି । ତେବେ ସାମ୍ବାଦିକ ମହଲରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

Leave A Reply

Your email address will not be published.