ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : ସମାଜସେବୀଙ୍କ ସହଯୋଗରେ ଆଶୀର୍ବାଦ ଯୋଜନାରେ ତିନି ଭାଇ ଭଉଣୀ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଇଁଲାପାଲି ଗାଁର ଟଙ୍କଧର ଗହୀର କୌଣସି ଏକ ରୋଗରେ ପଡିତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ତାଙ୍କର ଉନ୍ନତମାନର ଚିକିତ୍ସା କରିପାରିନଥିଲେ । ତାଙ୍କର ସ୍ତ୍ରୀ ସୋମବାରୀ ଗହୀର ମଧ୍ୟ ସ୍ୱାମୀଙ୍କୁ ବଂଚେଇବା ପାଇଁ ବହୁତ ଚେଷ୍ଟା କରିଥିଲେ ସୁଧା କୌଣସି ସଫଳତା ମିଳି ନଥିଲା । ପରିବାର କହିଲେ ସ୍ତ୍ରୀ, ତିନୋଟି ଝିଅ ଓ ଗୋଟିଏ ପୁଅ । ବଡ ଝିଅଙ୍କୁ ଅନ୍ୟତ୍ର ବାହା ଦେଇଥିବା ବେଳେ ଦୁଇ ଝିଅ ଓ ପୁଅ ଏବେ ଛୋଟ ଅଛନ୍ତି । ଏବେ ଥିବା ତିନି ପୁଅ ଝିଅଙ୍କୁ କିପରି ପ୍ରତିପୋଷଣ କରିବେ ତାହାକୁ ନେଇ ଚିନ୍ତିତ ଥିଲେ । କିଛିଦିନ ତଳେ ସମାଜସେବୀ ଯଶୋବନ୍ତ ରଣାଙ୍କ ସହ ଯୋଗାଯୋଗ କରି ଏହି ସମସ୍ୟା ବିଷୟରେ ଜଣାଇଥିଲେ । ଖବର ପାଇ ଶ୍ରୀ ରଣା ସମସ୍ତ ତଥ୍ୟ ସଂଗ୍ରହ କରି ତାଙ୍କୁ ସରକାରୀ ସହାୟତା ପାଇବାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ସୋମବାରୀଙ୍କ ସହ ଯୋଗାଯୋଗ କରି ଭବାନୀପାଟଣା ଠାରେ ଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଫିସକୁ ତାଙ୍କର ସମସ୍ତ ଶିଶୁ ଦିବ୍ୟାନସିନି ଗହୀର, ଦେବାଶିଷ ଗହୀର ଓ ଦୁର୍ଯ୍ୟୋଧନ ଗହୀରଙ୍କୁ ଆଣିବାକୁ କହିଥିଲେ । ଗତ କିଛିଦିନ ତଳେ ସେମାନଂକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟକୁ ଆଣି ଆଶୀର୍ବାଦ ଯୋଜନାରେ ସାମିଲ କରାଇଥିଲେ ଶ୍ରୀ ରଣା । ପରେ ଅନ୍ୟାନ୍ୟ ସରକାରୀ ସହାୟତା ପାଇବା ପାଇଁ ଏକ ଲିଖିତ ଆବେଦନ ପତ୍ର ମଧ୍ୟ ଦେଇଥିଲେ । ସମସ୍ତ ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ ହେବାପାଇଁ ଯୋଗ୍ୟ ହୋଇଥିଲେ ସମସ୍ତଙ୍କୁ ମାସିକ ୧୫୦୦ ଶହ ଟଙ୍କା ମିଳିବ ବୋଲି ଡିସିପିଓ ଜଣାଇଥିଲେ । ସେମାନଙ୍କୁ ସରକାରୀ ସୁବିଧା ମିଳିବ ବୋଲି ଜାଣି ବହୁତ ଖୁସି ହୋଇଥିଲେ ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.