ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସ୍କୁଲ ଗୃହ ଉଦ୍‌ଘାଟନ କଲେ ନରସିଂହ

  • ନିମ୍ନମାନର କାମ ଯୋଗୁଁ କ୍ଷୋଭ ପ୍ରକାଶ କଲେ ବିଧାୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ରାମଚନ୍ଦ୍ରପୁର ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସ୍କୁଲ ଗୃହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଅପଗ୍ରେଡେଡ ହୋଇଥିବା ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଇଁ ବିଭାଗ ତରଫରୁ ୫କୋଟି ୨୫ଲକ୍ଷ ୯୨ହଜାର ୯୮୩ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଯାହାକି ଆଜି ଉଦ୍‌ଘାଟନ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ଗୁଡିକ ନିର୍ମାଣ କାର୍ଯ୍ୟ ରାଜ୍ୟ ସ୍ତରରେ ଗୋଟିଏ ସଂସ୍ଥା କାର୍ଯ୍ୟ କରୁଥିବାରୁ ପ୍ରାୟତଃ ସ୍ଥାନରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଦେଖାଯାଉଛି । ଏପରିକି ନିର୍ମାଣ କାର୍ଯ୍ୟରେ ଅନେକ ଅନିୟମିତତା, ନିମ୍ନ ମାନର କାର୍ଯ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ଦୃଷ୍ଟି ଗୋଚର ହୋଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ନିର୍ମାଣ ସଂସ୍ଥାର କାର୍ଯ୍ୟକୁ ନିର୍ମାଣ ସମୟରେ କେହି ତଦାରଖ କରୁନାହାନ୍ତି । ଫଳରେ ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ଲୋକଙ୍କ ସୁବିଧା ପାଇଁ ତିଆରି ହେଉଥିବା ଏପରି ବଡ ବଡ ପ୍ରକଳ୍ପ ଅନେକ ଅର୍ଥ ହରିଲୁଟ ହେଉଛି ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ରାମଚନ୍ଦ୍ରପୁର ଏହି ହାଇସ୍କୁଲ ଅପ୍‌ଗ୍ରେଡେସନ ପାଇଁ ଏହି ଆଦିବାସୀ ଅଧ୍ୟୁଷିତ ଅଂଚଳର ଲୋକେ ୨୦୧୫ ମସିହା ପରେ ପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବୀ ରଖିଥିଲେ । ସମାନ ସମୟରେ ଚୁଡାପାଲିରେ ଥିବା ଆଦିବାସୀ ଜାତି ଓ ଜନଜାତି ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁର ବିଦ୍ୟାଳୟ ଅପ୍‌ଗ୍ରେଡେସନ ହୋଇଥିଲେ ହେଁ ବିଭାଗୀୟ ଅବହେଳା ଯୋଗୁଁ ଏହି ସ୍କୁଲର ନାମଲେଖାରେ ବିଳମ୍ବ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର୍ଥୀଙ୍କ ପାଇଁ ୬୪ଟି ସିଟ୍‌ ଥିବା ବେଳେ ସାଧାରଣ ବର୍ଗ ପାଇଁ ୪ଟି ସିଟରେ ନାମଲେଖା ହେବ । ନିର୍ମାଣ କାର୍ଯ୍ୟରେ ଅନେକ ତୃଟି ଥିବା ତଥା ନିମ୍ନମାନ ହୋଇଥିବାରୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏହା ଉପରେ ଏକ ଚିଠି ଲେଖିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜିର ଏହି ଉଦ୍‌ଘାଟନି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ କୁମାର ଶତପଥି, ବ୍ଲକ ଶିକ୍ଷାଧିକାରୀ ସଂକିର୍ତ୍ତନ ବାଗ, ସ୍କୁଲ ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆ, ବ୍ଲକ ମଙ୍ଗଳ ଅଧିକାରୀ ଜ୍ଞାନ ରଂଜନ ବଡଜେନା, ସମିତି ସଭ୍ୟ ବୁନି ବାଗ, ଶିକ୍ଷକ ନିରଞ୍ଜନ ମାଝି, ସରପଂଚ ଗୌର ଚନ୍ଦନ, ସ୍କୁଲ ପରିଚାଳନା କମିଟି ସଭାପତି ଜିବର୍ଦ୍ଧନ ବାଗ, ବିଧାୟକଙ୍କ ବିଭାଗୀୟ ପ୍ରତିନିଧି ଯୋଗେଶ୍ୱର ସାହୁ, ରାମଜୀ ଚୌଧୁରୀ, ଅସୀତ ମିଶ୍ର, କାନ୍ତେଶ୍ୱର ପଧାନ, ପପୁ ପାତ୍ର, ବୃଷବ ସାହୁଙ୍କ ସମେତ ସ୍କୁଲ କର୍ମଚାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.