jayashree

ଗଞ୍ଜାମ ଜିଲ୍ଲାରେ ଉତ୍ସବମୁଖର ଭାବେ ୭୫ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

  • ଜିଲ୍ଲା ମହକୁମା ଛତ୍ରପୁରରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଅଭିବାଦନ ଗ୍ରହଣ କରିବେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତ ବର୍ଷର ପ୍ରଥମ ବ୍ରିଟୀଶ ସାମ୍ରାଜ୍ୟଧୀନ ତଥା ରାଜ୍ୟର ବୃହତ୍ତମ ଓ ସର୍ବପୁରାତନ ଜିଲ୍ଲା ହେଡକ୍ୱାଟର ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରିଜର୍ଭ ପୋଲିସ ପରେଡ଼ ପଡ଼ିଆଠାରେ ଆୟୋଜିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଇସ୍ପାତ, ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟଅତିଥୀ ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟପତାକା ଉତ୍ତୋଳନ କରିବେ ଏବଂ ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କୁ ଜାତି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ବୋଲି ସରକାରୀ ଭାବେ ପ୍ରଦତ୍ତ ସୂଚନା ନିଶ୍ଚିତ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ନେଇ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସକାଳ ୯ ଘଣ୍ଟା ୧୫ ମିନଟ ସମୟରେ ଏହି ଆନୁଷ୍ଠାନିକ ଜାତୀୟପତାକା ଉତ୍ତୋଳନ ଏବଂ ବିଧିବଦ୍ଧ ଭାବେ ସମାହିତ ହେଉଥିବା ଚଳିତ ବର୍ଷର କାର୍ଯ୍ୟକ୍ରମରେ କୋରନା ସମୟରେ ନିଜକୁ ବାଜି ଲଗାଇ ଉତ୍ସର୍ଗୀକୃତ ଭାବେ ସେବା ଦେଇଥିବା ବ୍ୟକ୍ତି ପ୍ରେସ/ମିଡ଼ିଆ ତଥା ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ, ସାମାଜସେବୀ, ସ୍ୱେଚ୍ଛାସେବୀ, ସରକାରୀ କର୍ମଚାରୀ, ପଦାଧିକାରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜଣାଇଛନ୍ତି । ପରେଡ଼ କମାଣ୍ଡଟ ମୁଖ୍ୟ ଭାବେ ଆସିଷ୍ଟାଣ୍ଟ-କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି ଓ ସହକାରୀ ଦାୟିତ୍ୱରେ ସର୍ଜେଣ୍ଟ ସଞ୍ଜୟ ବାରିକ, ଓଏସ୍‌ଏପି- ଅଷ୍ଟମ ବାଟାଲିୟନ ସ୍ପେସିଆଲ ଆର୍ମଡ଼ ନିରଞ୍ଜନ ପାଢ଼ୀ, ଆର୍ମଡ଼ ରିଜର୍ଭ ପୋଲିସ ଡିଏସ୍‌ଆଇ ରାମକୃଷ୍ଣ ପଟ୍ଟନାୟକ, ଓଏସ୍‌ଏପି ଓ ଜିଲ୍ଲା ପୋଲିସର ମିଳିତ ସହଯୋଗରେ ଘୋଷବାଦ୍ୟ/ ବ୍ୟାଣ୍ଡପାର୍ଟି ମୁଖ୍ୟଭାବେ ଡେପୁଟି ସୁବେଦାର ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ବରିଷ୍ଟ ପୋଲିସ ଅଧିକାରୀଗଣ ଚଳିତ ବର୍ଷ ପରିଚାଳନା ଦାୟିତ୍ୱରେ ଅଛନ୍ତି ବୋଲି କୁହାଯାଇଛି ।

ସର୍ବୋପରି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ବାଣିଜ୍ୟ, ସାହିତ୍ୟ ସଂସ୍କୃତିର ସହର ବ୍ରହ୍ମପୁର ମହାନଗରରେ ଉପଖଣ୍ଡସ୍ତରୀୟ ପରେଡ଼ ଉତ୍ସବରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି.ଆପଙ୍ଗ ଆଓ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ଏବଂ ସମବେତ ଜନତାଙ୍କୁ ଉଦବୋଧନ ଦେବେ । ସେହିପରି ବୃହତ୍ତମ ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ସବ୍‌ଡିଭିଜନ ଭଞ୍ଜନଗରରେ ପାଳିତ ହେଉଥିବା ଉପଖଣ୍ଡସ୍ତରୀୟ ସମ୍ମିଳିତ ପରେଡ଼ରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.