ପଦ୍ମପୁର ଉପଖଣ୍ଡରେ ମରୁଡି ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଶାଢ ଶ୍ରାବଣ ଦୁଇଟି ନାଁରେ ଜୀବନ୍ତ ହୋଇ ଉଠେ ଚାଷୀ କୂଳର ସବୁ ଆଶା ଆକାଂକ୍ଷା । ବିଲରେ ଲହରି ମାରେ ସବୁଜ ଧାନର ଅମାର, ହେଲେ ଏ ବର୍ଷ କିନ୍ତୁ ସ୍ଥିତି ପୁରା ବିପରୀତ ଶ୍ରାବଣ ଯାଇ ଭାଦ୍ରବ ଆସିବା ଉପରେ ହେଲେ ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି ଆସନ୍ନ ମରୁଡି ଚିନ୍ତାରେ ବର୍ତ୍ତମାନ ପଦ୍ମପୁର ଅଞ୍ଚଳର ଚାଷୀ । ପ୍ରାୟତଃ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ବେଳକୁ ଧାନ ବିଲରେ ଧାନ ଗଛରେ ଫଳ ଧରିବା ସହ କ୍ଷୀର ଖାଇବା ଆରମ୍ଭ କରି ଦିଏ ଏବଂ ପ୍ରତିବର୍ଷ ନିଜର ଏହି ନୁଆ ଫସଲକୁ ନେଇ ପଶ୍ଚିମ ଓଡିଶାର ଚାଷୀ ନିଜର ସର୍ବ ବୃହତ ପର୍ବ ନୁଆଖାଇ ପାଳନ କରିଥାନ୍ତି । ନିଜ ବିଲର ଧାନ ଆଣି ନିଜ ଇଷ୍ଟ ଦେବା ଦେବୀଙ୍କୁ ଅର୍ପଣ କରି ନୁଆ ଖାଇଥାନ୍ତି । ହେଲେ ଏ ବର୍ଷର ସ୍ଥିତି ଟିକେ ଅଲଗା । ଓଡିଶାର ଭାତ ହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାର ଏକ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ହେଉଛି ପଦ୍ମପୁର ଉପଖଣ୍ଡ । ଏହାର ଭୌଗୋଳିକ ସ୍ଥିତି ଯୋଗୁଁ ପ୍ରାୟତଃ ଏହି ଅଞ୍ଚଳର ଚାଷୀଙ୍କୁ ମରୁଡିର ମୁହଁ ଦେଖିବାକୁ ପଡିଥାଏ । ତା’ ସତ୍ୱେ ମଧ୍ୟ ହାର ନମାନି ନିଜର ପରିଶ୍ରମ ଫଳରେ ଗତ ଦୁଇ ବର୍ଷ ହେଲା ଭଲ ଫସଲ ଅମଳ କରୁଥିଲେ ଚାଷୀ । ହେଲେ ଏ ବର୍ଷ ମୁଳରୁ କମ ବର୍ଷା ଯୋଗୁଁ କିନ୍ତୁ ଗଛ ଲଗା ସମ୍ପୁର୍ଣ୍ଣ ହେବା ଆଗରୁ ହିଁ ଧାନ ବିଲ ସୁଖି ଯାଇ ମାଟି ଫାଟି ଆଁ କଲାଣି । ବର୍ତ୍ତମାନ ଆସନ୍ନ ମରୁଡି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ନିରାଶ ହୋଇ ବସିଲେଣି ଚାଷୀ ।କେଉଁଠି ବିଲରେ ଧାନ ଗଛ ଲଗା ହେଇଛି ପାଣି ନାହିଁ ତ ଆଉ କେଉଁଠି ଅଧାରେ ପଡି ରହିଥିବା ଧାନ ଚାରା ସବୁ ଶୁଖି ନଡା ହୋଇ ସାରିଛି । ଏମିତି କି ପାଣି ଅଭାବ ଯୋଗୁଁ ଲାଗିଥିବା ଧାନ ଗଛକୁ ବି ବଞ୍ଚାଇବା ପାଇଁ ବାଟ ପାଉ ନାହାନ୍ତି ଚାଷୀ । ଚଳିତ ବର୍ଷ କମ୍‌ ବର୍ଷା ଯୋଗୁଁ କେବଳ ଯେ ପଦ୍ମପୁରର ଗୋଟିଏ ରାଜ ବୋଡାସମ୍ବର ବ୍ଲକ ନୁହଁ ବରଂ ପାଇକମାଲ, ଝାରବନ୍ଧ, ଗାଇସିଲେଟ ସମସ୍ତ ଅଞ୍ଚଳରେ ସମାନ ଦୃଶ୍ୟ । ଏପରି ଅବସ୍ଥାରେ ଶେଷରେ ସହାୟତା ପାଇଁ ସରକାରଙ୍କୁ ଚାଷୀ ଗୁହାରୀ ହୋଇଥିବା ବେଳେ, ପଦ୍ମପୁର କୃଷି ବିଭାଗ ଅଧିକାରୀ କିନ୍ତୁ କହିଛନ୍ତି ଯଦି ଆସନ୍ତା ଗୋଟିଏ ସପ୍ତାହ ଭିତରେ ଭଲ ବର୍ଷା ହୁଏ କିଛି କାଂଶରେ ଫସଲ ବଂଚା ଯାଇ ପାରିବ ନଚେତ ବିନା ଇରିଗେସନ ଥିବା ଅଞ୍ଚଳରେ ମରୁଡି ସ୍ଥିତି ଦେଖା ଦେବା ସ୍ୱଭାବିକ ।

Leave A Reply

Your email address will not be published.