ରାଜେନ୍ଦ୍ର ୟୁନିଭର୍ସିଟି +୩ ତୃତୀୟ ସେମିଷ୍ଟାର : ଅନଲାଇନ ମୋଡ୍‌ରେ ପରୀକ୍ଷା କରିବାକୁ ଦାବୀ କଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଯୋଗୁଁ ସରକାରୀ ନିର୍ଦ୍ଦେଶ କ୍ରମେ +୩ର ପାଠ୍ୟକ୍ରମ ଅନଲାଇନ ମୋଡରେ କରାଯାଇଥିଲା । ତେଣୁ ରାଜେନ୍ଦ୍ର ୟୁନିଭର୍ସିଟିର +୩ର ତୃତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ଅନଲାଇନ ମୋଡରେ କରିବାକୁ ଛାତ୍ର କଂଗ୍ରେସ ଦାବୀ କରିଛି । ଆଜି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜେନ୍ଦ୍ର ୟୁନିଭର୍ସିଟିର କୂଳପତି ପ୍ର. ଉମା ବଲ୍ଲଭ ମହାପାତ୍ରଙ୍କୁ ଦେଖା କରି ଆଗାମୀ ଦିନରେ ହେବାକୁ ଥିବା +୩ ତୃତୀୟ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା କରାଯାଇଛି । ଯେପରି କରୋନା ଯୋଗୁଁ +୩ର ସମସ୍ତ ପାଠପଢା ଅନଲାଇନ୍ ମାଧ୍ୟମରେ କରାଯାଇଛି, ସେହିପରି ତୃତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ଅନଲାଇନ୍ ମାଧ୍ୟମରେ କରିବାକୁ ଛାତ୍ର କଂଗ୍ରେସ ୟୁନିଭର୍ସିଟି କର୍ତ୍ତୁପକ୍ଷଙ୍କ ଆଗରେ ଲିଖିତ ଦାବୀ ଉପସ୍ଥାପିତ କରିଛି । ତେବେ, କୂଳପତି ଶ୍ରୀ ମହାପାତ୍ର ଦାବୀପତ୍ର ଗ୍ରହଣ କରିବା ସହ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦାବୀ ବିଷୟରେ ଜଣାଇବା ସହ ଏହାର ସମାଧାନର ରାସ୍ତା ବାହାର କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଂପାଦକ ଅଜିତ ମହାନନ୍ଦ, ବିଷ୍ଣୁ ପ୍ରସାଦ ଭୋଇ, ଦିନେଶ ସାହୁ, ସମୀର କୁମ୍ଭାର, ମାନସ ପ୍ରଧାନ ଓ ଅଞ୍ଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.