ଅପହଞ୍ଚ ଇଲାକାରେ ପହଞ୍ଚିବ ଷ୍ଟେଟ୍ ବ୍ୟାଙ୍କ୍ ଭ୍ରାମ୍ୟମାଣ ଏଟିଏମ୍ ସେବା

ଅନୁଗୁଳ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଭୟାବହତା ଯୋଗୁଁ ଗ୍ରାହକମାନେ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କ୍ ବା ଏଟିମ୍ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅନୁଗୁଳ ଶାଖା ଏକ ଅଭିନବ ଉପାୟରେ ଗ୍ରାହକ ସେବା ପ୍ରଦାନ କରିବାକୁ ଆଗେଇ ଆସିଛି । ବ୍ୟାଙ୍କର ଏକ ଭ୍ରାମ୍ୟମାଣ ଏଟିଏମକୁ (ମୋବାଇଲ୍‌ ଏଟିଏମ) ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ଶୁଭାରଂଭ କରିଛନ୍ତି । ମୋବାଇଲ ଏଟିଏମ ବିଭିନ୍ନ ସ୍ଥାନ ମୁଖ୍ୟତଃ ବ୍ୟାଙ୍କିଙ୍ଗ ସେବା ଅପହଞ୍ଚ ଅଂଚଳରେ ପହଞ୍ଚି ଗ୍ରାହକଙ୍କୁ ସେବା ଯୋଗାଇଦେବ ବୋଲି କହିଛନ୍ତି କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ସ୍ଥାନୀୟ କ୍ଷେତ୍ରୀୟ କାର୍ୟ୍ୟାଳୟର କ୍ଷେତ୍ରୀୟ ପ୍ରବନ୍ଧକ ପ୍ରମୋଦ କୁମାର ପ୍ରଧାନ । ଏହି ଅବସରରେ ଅନୁଗୋଳ ମୁଖ୍ୟ ଶାଖାର ମୁଖ୍ୟ ପ୍ରବନ୍ଧକ କିଶୋର ଚନ୍ଦ୍ର ଦାଶ ଗ୍ରାହକମାନଙ୍କୁ ନିବେଦନ କରିଛନ୍ତି ଯେ, ସେମାନେ ଘରେ ଥାଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ତଥା ଆଧୁନିକ ପ୍ରଯ୍ୟୁକ୍ତି ଜ୍ଞାନ କୌଶଳ ଦ୍ୱାରା ବିକର୍ଷିତ ୟୋନୋ (YONO) ଆପ୍‌ ମାଧ୍ୟମରେ ବ୍ୟାଙ୍କ୍ କାରବାର କରନ୍ତୁ ଓ ଘର ପାଖରୁ ପାରମ୍ପାରିକ ଏଟିଏମର କାର୍ଡ ବ୍ୟତୀତ ୟୋନ କ୍ୟାଶ କୋଡର଼୍, କ୍ୟୁଆର (QR Code) ମାଧ୍ୟମରେ ଟଙ୍କା ଉଠାଣ କରନ୍ତୁ; ବିଶେଷ କାମ ନଥିଲେ ବ୍ୟାଙ୍କକୁ ଆସନ୍ତୁ ନାହିଁ । ଏହି ଲୋକାଭିମୁଖୀ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଜନସାଧାରଣ ପ୍ରସଂଶା କରଛନ୍ତି । ଜିଲ୍ଲାରେ ପ୍ରଥମ କରି ଏସ୍‌ବିଆଇ ମୋବାଇଲ ଏଟିଏମକୁ କାର୍ୟ୍ୟକ୍ଷମ କରାଇବାରେ ଫାଲଗୁନୀ ପଟ୍ଟନାୟକ, ଚେନେଲ ମ୍ୟାନେଜେର ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.