ବଢୁଛି ଶିଶୁ ଶ୍ରମିକ ନିିର୍ଯ୍ୟାତନା

କଳାହାଣ୍ଡି, (ପି.କେ.ସାହୁ) : ରାଜ୍ୟରୁ ଶିଶୁ ଶ୍ରମିକ ଉଚ୍ଛେଦ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହାର ସୁଫଳ ସେମାନଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା ଫେଲ୍‌ ମାରିବାରେ ଲାଗିଛି । ବିଗତ ଦିନମାନଙ୍କରେ ରାୟଗଡ଼ା, ଭୁବନେଶ୍ୱର ହେଉକି ଖଡ଼ିଆଳ ଲାଲମହଳ ଶିଶୁ ନିିର୍ଯ୍ୟାତନା ଘଟଣା ହେଉ ଏସବୁ ରାଜ୍ୟରେ ଚହଳ ପକାଇ ସାରିଛି । ପ୍ରତିଦିନ ଶିଶୁ ମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ି ଚାଲୁଥିବା ବେଳେ କିଛି ଘଟଣା ପ୍ରଶାସନର ଦୃଷ୍ଟିରେ ପଡୁଛି ତ ଆଉ କିଛି ଆଢ଼ୁଆଳରେ ରହିଯାଉଛି । ଶିଶୁ ଶ୍ରମିକ ପ୍ରଥାର ଉଚ୍ଚେଦ ତଥା ସେମାନଙ୍କ ଥଇଥାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ତଥାପି କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଫଳରେ ଶିଶୁ ଶ୍ରମିକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପ୍ରାଥମିକ ଶିକ୍ଷାକୁ ଗୁରୁ‌ତ୍ୱ ଦେଇ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ସ୍ଲୋଗାନ ଦିଆଯାଇଛି । କିନ୍ତୁ ଏହି ଅଞ୍ଚଳର ଶିଶୁ ଶ୍ରମିକ ମାନଙ୍କୁ ରାସ୍ତା କାମରେ, ଗାଈ, ବଳଦ, ଛେଳି, ମେଣ୍ଢା ଚରାଇବା, ଜଙ୍ଗଲରୁ ମହୁଲ, ଚାହାର, କାଠ ଗୋଟାଇବା, ଗୃହ ନିର୍ମାଣ କାର୍ୟ୍ୟରେ ନିୟୋଜିତ କରିବା, ହୋଟେଲରେ ବାସନକୁସନ ଧୋଇବା, ଇଟା ଭାଟିରେ ଲଗାଇବା, ପରଘରେ ମୂଲଲଗାଇବା ଆଦି ବହୁ କ୍ଷେତ୍ରରେ ଲଗାଯାଉଛି । ଘରର ଆର୍ଥିକ ଅବସ୍ଥା ବା ଅନ୍ୟ କାରଣରୁ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ଏହି ଶିଶୁମାନଙ୍କୁ କେତେକ ମାଲିକ ସ୍ଵଳ୍ପ ଟଙ୍କାରେ ଅଧିକ ସମୟ ଖଟାଇଥାନ୍ତି । କଳାହାଣ୍ଡି ଜିଲ୍ଲାରେ ୨୦୧୮ ମସିହାରେ ୨୫୩୬ ଜଣ ଶିଶୁ ଶ୍ରମିକ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ଭିତରୁ ୧୨୭୮ ଜଣ ଝିଅ ପିଲା ଥିଲେ । ଶିଶୁ ଶ୍ରମିକ ତୁଳନାରେ ବାସ୍ତବ ସଂଖ୍ୟା ଢେର୍ ଅଧିକ ବୋଲି ଶିଶୁ ଶ୍ରମ ଉଚ୍ଛେଦ କ୍ଷେତ୍ରରେ କାର୍ଯ୍ୟରତ ସେଚ୍ଛାସେବୀମାନେ ମତ ଦିଅନ୍ତି । ସେମାନଙ୍କ ମତରେ ଯେତିକି ମାମଲା ରୁଜୁ ହେଉଛି ତାହାର ତୁରନ୍ତ ଫଇସଲା ସହିତ ଦଣ୍ଡ ବିଧାନ କରାଗଲେ ଶିଶୁ ମାନଙ୍କୁ ଶ୍ରମିକ ଭାବେ ନିଯୁକ୍ତି କରିବାକୁ ଲୋକେ ଭୟ କରିବେ । ଏହି କ୍ଷେତ୍ରରେ ସରକାର ଓ ଅଦାଲତ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଆଜି ମଧ୍ୟ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ସର୍ବନିମ୍ନ ସୁବିଧା, ସୁଯୋଗ ମିଳିପାରି ନାହିଁ । ସ୍ଥାୟୀ କର୍ମସଂସ୍ଥାନ ଅଭାବରୁ କଳାହାଣ୍ଡି ଜିଲ୍ଲାରୁ ଶହ ଶହ ଲୋକେ ନିଜ ଭିଟାମାଟି ଛାଡ଼ି ପରିବାର ସହ ଗୁଜରାଟ, ସୁରତ, କେରଳ, ଆନ୍ଧ୍ର, ତାମିଲନାଡ଼ୁ, ରାୟପୁର, ମୁମ୍ବାଇ ଆଦି ସ୍ଥାନକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ନିଜ ନିଜ ପିଲାମାନଙ୍କ ପାଠପଢ଼ା ପ୍ରତି ନଜର ନ ଦେଇ ଘରୋଇ ଓ ବାହାର କାର୍ୟ୍ୟରେ ନିୟୋଜିତ କରୁଥିବା ଶୁଣିବାକୁ ମିଳେ । ସରକାରଙ୍କ ପକ୍ଷରୁ ଜାତୀୟ ଶିଶୁ ଶ୍ରମିକ ମଙ୍ଗଳ କାର୍ୟ୍ୟକ୍ରମ ଆରମ୍ଭ କରାଯାଇ ସେମାନଙ୍କୁ ସର୍ବନିମ୍ନ ଶିକ୍ଷା ଓ ଜୀବନଯାପନର ସୁଯୋଗ ଦେବା ବ୍ୟବସ୍ଥା ମଧ୍ୟ କାଗଜ କଲମରେ ସୀମିତ ରହିଛି । ପ୍ରଶାସନିକ ତତ୍ପରତା ପୂର୍ବକ ଏହି ଶିଶୁମାନଙ୍କୁ ଚିହ୍ନଟ କରି ସଚେତନତା ଓ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରାଇ ଭବିଷ୍ୟତ ଜୀବନ ସୁନାଗରିକ ଦିଗରେ ଆଗେଇ ନେଲେ ଶିଶୁ ଶ୍ରମିକ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତ ଦେଇଛନ୍ତି ।

Leave A Reply

Your email address will not be published.