ନର୍ଲା ବ୍ଳକରେ କରୋନା ପଜିଟିଭ ସଂଖ୍ୟା ୧୬୫କୁ ଛୁଇଁଲା : ସର୍ଗିଗୁଡା, ରୁପ୍ରା ଓ ଜାମ୍‌ପଦରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପ୍ରତ୍ୟହ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବ୍ଲକର ନର୍ଲା, ରୁପ୍ରାରୋଡ, ରୁପ୍ରା ଓ ପଲମ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ କୋଭିଡ ପରୀକ୍ଷଣ କରାଯାଉଛି । ନର୍ଲା ବ୍ଳକ ଅଞ୍ଚଳରେ ୩ଅଙ୍କରେ କରୋନା ପଜିଟିଭ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୫କୁ ବୃଦ୍ଧି ପାଇଛି । ନର୍ଲା ନିକଟସ୍ଥ ସର୍ଗିଗୁଡା ଗ୍ରାମରେ ଗୋଟିଏ ଓ ନର୍ଲାରୋଡରେ ୫ଟି ପଜିଟିଭ ଚିହ୍ନଟପରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ଗୁରୁବାର ଠାରୁ ୭ ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ସେହିପରି ରୁପ୍ରାରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ପରେ ରୁପ୍ରା ଗ୍ରାମକୁ ଗୁରୁବାର ସକାଳୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଜାମ୍‌ପଦର ଗ୍ରାମକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ସର୍ଗିଗୁଡା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଚିହ୍ନଟ ପାଇଁ ଏକ ପ୍ରତିନିଧି ଦଳ ଯାଞ୍ଚ କରିଥିବା ଜଣାପଡିଛି । ଲୋକେ ସଚେତନ ନ ହୋଇ ଖୋଲା ଖୋଲି ଭାବରେ ହାଟ ବଜାରରେ ବୁଲୁଥିବା ଦେଖା ଯାଉଛି । ଯାହା ଫଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ଟୀକାକରଣ ପରେ କିଛି ଲୋକଙ୍କୁ ଜ୍ୱର ହେଉଥିବା ଅଭିଯୋଗରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଯାହା ଦ୍ଵାରା ଟୀକା ନେବାକୁ ଲୋକେ ପଛଘୁଞ୍ଚା ହେଉଥିବା ଜଣାପଡ଼ିଛି । ଏସବୁ ଦୂର କରିବା ପାଇଁ ପ୍ରଶାସନିକ ସ୍ତରରେ ଜନସଚେତନତା ସୃଷ୍ଟି କରିବା ସହ ନର୍ଲା ଅଞ୍ଚଳକୁ ସଟଡାଉନ ଘୋଷଣା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.