ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ତଥା କୁଟିଆ ଆଦିବାସୀଙ୍କ ପାଇଁ ଆସିଥିବା ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ବାବଦ ରାସନ ମହାଦୁର୍ନୀତି ମାମଲାରେ ବିଳମ୍ବ ହେଲେ ବି ସ୍ଵତନ୍ତ୍ର ଅଡ଼ିଟ୍ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସୂଚନା ପ୍ରକାରେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ୍ ଗୁମା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ୩୦୦ରୁ ଅଧିକା କୁଟିଆ ଆଦିବାସୀଙ୍କୁ ତିନି ବର୍ଷର ରାସନ ଚାଉଳ ମିଳି ନଥିଲା । ଏହାକୁ ଅଧିକାରୀ ମାନେ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଚଞ୍ଚକତାପୂର୍ଣ୍ଣ ଉପାୟରେ ହଡ଼ପ କରି ଅର୍ଥ ଭାଗବାଣ୍ଟି ଖାଇ ଯାଇଥିଲେ । ପ୍ରାଥମିକ ତଦନ୍ତରୁ ଘଟଣାରେ ସତ୍ୟତା ଥିବା ଜଣା ପଡ଼ିଥିଲା । ଏଥିରେ ପରିବହନ ସଂସ୍ଥା, ଗୋଦାମ ମାଲିକ ଓ ଯୋଗାଣ ବିଭାଗର ବଡ଼ ବଡ଼ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ୟ୍ୟନିର୍ବାହୀ ଅଧିକାରୀ ମାନେ ସାମିଲ ଥିବା ମଧ୍ୟ ଜଣା ପଡ଼ିଥିଲା । ପରେ ଘଟଣାକୁ ଚପାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତଳ ଅଧିକାରୀ ମାନେ ଲାଗି ପଡ଼ିଥିଲେ । ଏହାକୁ ନେଇ ବ୍ଲକ୍ ଯୋଗାଣ ଅଧିକାରୀ, ପଞ୍ଚାୟତ ଯୋଗାଣ ଅଧିକାରୀ ଓ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଜାମିନ୍ରେ ଛାଡ଼ି ଦିଆଗଲା । ଏତିକିରେ ହିଁ ଅଟକି ଯାଇଥିଲା କାର୍ୟ୍ୟାନୁଷ୍ଠାନ । ମାତ୍ର ସାଧାରଣ କୁଟିଆ ଆଦିବାସୀଙ୍କ ହକ୍ ଓ ନ୍ୟାୟ ପାଇଁ ଏହି ମହାଦୁର୍ନୀତିର ଫର୍ଦ୍ଦ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ଚାଲିଲା । ପରେ ରାଜ୍ୟ ସରକାରଙ୍କ ଭିଜିଲାନ୍ସ୍ ଟିମ୍ ଅଚାନକ ଆସି ଗୋଦାମରେ ଚଢ଼ଉ କରି କାଗଜପତ୍ର ଜବତ କରି ଦେଇଥିଲେ । ଆଉ ଏବେ ରାଜ୍ୟ ସରକାର ଏହି କେଳେଙ୍କାରୀର ସ୍ଵତନ୍ତ୍ର ଅଡ଼ିଟ୍ ନିର୍ଦ୍ଦେଶ ଦେବା ପରେ ଅଡ଼ିଟ୍ ଆରମ୍ଭ ହୋଇଛି । ହେଲେ ଏହାର ଫଳାଫଳ କୁଟିଆ ଆଦିବାସୀଙ୍କୁ ନ୍ୟାୟ ଦେଇପାରୁଛି କି ବଡ଼ବଡ଼ିଆଙ୍କ ଚାପରେ ଦିଗଭ୍ରଷ୍ଟ ହଉଛି, ତାହା ଦେଖିବାକୁ ବାକି ରହିଲା ।