ପଦ୍ମପୁର, (ନିରୋଜ କୁମାର ପାଣୀ) : ବହୁ ଚର୍ଚ୍ଚିତ ବାଲାମଣି ଭୋଇ(୫୯)ଙ୍କ ଘର ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ସରେଇକେଲା ଗ୍ରାମପଞ୍ଚାୟତ ସମ୍ବଲପୁରୀ ଗ୍ରାମରେ । ଗତକାଲି ମଙ୍ଗଳବାର ଭୋରରୁ ଚାଷୀ ବାଲାମଣି ଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା । ଦୀର୍ଘ ୨ମାସ ହେଲା ବାଲାମଣିଙ୍କ ପୁଅ ଥବିର ଭୋଇ ୧୪୦ ପ୍ୟାକେଟ ଅମଳ କରିଥିବା ଧାନକୁ ଲଖମରା ମଣ୍ଡିରେ ବିକ୍ରୟ ପାଇଁ ନେଇଥିଲେ ସୁଦ୍ଧା ତାଙ୍କ ଧାନକୁ ସରକାର କିଣି ନଥିଲେ । ପ୍ରତ୍ୟହ ପୁଅ ମଣ୍ଡିକୁ ଆସି ଶେଷରେ ନିରାଶ ହୋଇ ନିତିଦିନ ଘରକୁ ଫେରିଲେ ବାପା ବାଲାମଣି ପୁଅକୁ ଧାନ ବିକ୍ରି ହେଲା କି ପଚାରି ବୁଝନ୍ତି । ହେଲେ ନିରାଶ ଓ ହତାଶର ଉତ୍ତର ପାଆନ୍ତି । ବାଲାମଣି ସଦାବେଳେ ଭାରାଗ୍ରସ୍ତ ଓ ଚିନ୍ତିତ ରୁହନ୍ତି । ସତରେ କ’ଣ ଚାଷୀ ସମୂହ ପାଇଁ କେହି ନାହାନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ଶ୍ନ ଉଠିଛି । ଏଭଳି ସ୍ଥଳେ ରାଜବୋଡାସମ୍ବର କୃଷକ ସଂଗଠନ ମଣ୍ଡି ମାନଙ୍କ ଅଚଳାବସ୍ତା ପାଇଁ ଆନ୍ଦୋଳନର ଡାକରା ଦିଅନ୍ତି । ତାଙ୍କ ଆହ୍ୱାନକୁ ସ୍ୱାଗତ ଜଣାଇ ନିଜେ ବାଲାମଣି କନସିଂହା ଛକ ଠୁ ଆରମ୍ଭ କରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ମଧ୍ୟ ଧାରଣାରେ ବସି କୃଷକଙ୍କ ଦାବୀକୁ ସମର୍ଥନ ଜଣାଇଛନ୍ତି ।
ସଦା ସର୍ବଦା ମୋ ଅର୍ଜିତ ସୁନା ରୂପକ ଧାନ କ’ଣ ଆଉ ବିକ୍ରୟ ହୋଇ ପାରିବ ନାହିଁ । ସତରେ କ’ଣ ସରକାରଙ୍କ ଆଖିରେ କୃଷକ ଆଜି ତୁଚ୍ଛ ଓ ନଗଣ୍ୟ । ଯେ’କି ସାରା ସୃଷ୍ଟିକୁ ମୁଠାଏ ଆହାର ଯୋଗାଡ଼ କରିବା ପାଇଁ ରାତିଦିନକୁ ଏକାକାର କରି ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନ କରି ହାଡ଼ଭଙ୍ଗା ପରିଶ୍ରମ କରି ମୁଠାଏ ଅନ୍ନ ଦେଇ ଆସୁଛି, ତା ପ୍ରତି ଅବିଚାର କାହିଁକି ? ଏ ଭଳି ଅନେକ ପ୍ରଶ୍ନରେ ଭାରାକ୍ରାନ୍ତ ହୋଇ ମୋ’ ବାପା ବାଲାମଣିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି ବୋଲି ଆସିଥିବା ପାଇକମାଳ ବ୍ଳକ କଂଗ୍ରେସ କମିଟି ର ପ୍ରତନିଧି ଦଳଙ୍କ ଆଗରେ ଅଶ୍ରୁ ଛଳଛଳ ଅବସ୍ଥାରେ ପୁଅ ଥବିର ଭୋଇ ବଖାଣି ଥିଲେ । ଗତକାଲି ବରଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମୃତ ଚାଷୀ ବାଲାମଣିଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ଆଜି ପାଇକମାଳ ବ୍ଳକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ବାଳଙ୍କ ନେତୃତ଼୍ୱରେ ଏକ ପ୍ରତିନିଧି ଦଳ ସମ୍ବଲପୁରୀ ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଏଥିପାଇଁ ସମ୍ପୁର୍ଣ୍ଣ ରୂପେ ରାଜ୍ୟ ସରକାର ଦାୟୀ ଅଟନ୍ତି, ତେଣୁ ତୁରନ୍ତ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସାହାର୍ୟ୍ୟ ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଏଇ ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ତଥା ବ୍ଳକ କଂଗ୍ରେସ କମିଟି ସଭାପତି ବିନୋଦ କାଲିଆ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦୁଲାଲ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଝିଟକି ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାଣବନ୍ଧୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।