କିଡନୀ ରୋଗରେ ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମର ୩୯ ବର୍ଷୀୟ ପ୍ରଶାନ୍ତ ନାଏକ କିଡନୀ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଗରିବ ପରିବାର ହୋଇଥିବାରୁ ସେ ଦିନ ମଜୁରୀ କରି ଯାହାକିଛି ରୋଜଗାର କରୁଥିଲେ ସେଥିରେ ତାଙ୍କର ପରିବାର ପ୍ରତି ପୋଷଣ କରୁଥିଲେ । ଦେହ ଅସୁସ୍ଥ କାରଣରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଡାକ୍ତରଙ୍କୁ ପରାମର୍ଶ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଥିଲେ । ସେ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଥିଲା । ଆଶୁ ଆରୋଗ୍ୟ ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିୟମିତ ଅନ୍ତରରେ କଟକ ଯାଇ ଚିକିତ୍ସା କରୁଥିଲେ । ଏଥିପାଇ ତାଙ୍କର ‌ସ୍ୱଳ୍ପ ଉପାର୍ଜିତ ଅର୍ଥକୁ ବ୍ୟୟ କରିଦେଲେ । ହେଲେ ଭାଗ୍ୟର ବିଡମ୍ବନା କିଡନୀ ରୋଗରୁ ଭଲ ନହେଉଣୁ ତାଙ୍କର ହାର୍ଟରେ ସମସ୍ୟା ଦେଖାଦେଲା । ଡାକ୍ତରଙ୍କ ପରାମର୍ଶ ନେବାରୁ ତାଙ୍କର ହାର୍ଟ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ । ଗୋଟିଏ ପଟେ କିଡନୀ ଓ ହାର୍ଟ ଜନିତ ସମସ୍ୟା ଅନ୍ୟପଟେ ଚିକିତ୍ସା ପାଇଁ ଅର୍ଥାଭାବ କାରଣରୁ ସେ ନିରୁପାୟ ହୋଇ ଅନେକ ଦିନ ହେଲା ଘରେ ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ପାଖରେ ସମ୍ବଳ ନଥିଲା । ଶେଷରେ ପରିବାର ସଦସ୍ୟ ଭଲ ଚିକିତ୍ସା ଆଶାରେ ଘରଡିହ ବିକ୍ରିକରି ଗତ ୨୦ ତାରିଖରେ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଗାଡିଭଡା କରି ନେଇଥିଲେ । ମାତ୍ର ୱାର୍ଡରେ ଭର୍ତ୍ତି ନହୋଇପାରିବା କାରଣରୁ ଘରଲୋକେ ତାଙ୍କୁ ସେଠାରୁ କଟକ ବଡ ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ । ମାତ୍ର ସୋମବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ତାଙ୍କୁ ଭଲ କରିବା ଆଶାରେ ଘରଡିହ ବିକି ଯେଉଁ କିଛି ପଇସା ନେଇଥିଲେ ତାହା ଗାଡିଭଡା ବାଦଦରେ ଖର୍ଚ୍ଚ ହୋଇଥିବା ଜଣାଯାଇଛି । ଏବେ ତାଙ୍କର ଅସହାୟ ପରିବାର କିପରି ବଞ୍ଚିବେ ଓ ତାଙ୍କର ଶୁଦ୍ଧକ୍ରିୟା କାର୍ୟ୍ୟ କରିବେ ତାକୁ ନେଇ ଭାଙ୍ଗି ପଡିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.