jayashree

ମଙ୍ଗଳସୂତ୍ର ଝାମ୍ପି ନେଇଥିଲା ଲୁଟେରା : ଗିରଫ କଲା ବଲାଙ୍ଗିର ପୋଲିସ ଟାଉନ୍ ପୋଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ମହିଳାଙ୍କ ବେକରୁ ସୁନା ମଙ୍ଗଳସୂତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଟାଉନ୍ ଥାନା ଅନ୍ତର୍ଗତ ସ୍ପିନିଂ ମିଲ୍ ପଡ଼ାର ବିଶ୍ୱଜିତ ନନ୍ଦ ଓରଫ ରାଜା। ତାଙ୍କ ବୟସ ୨୭ ବର୍ଷ । ସୂଚନା ଅନୁସାରେ, ଗତ ନଭେମ୍ବର ୧ ତାରିଖ ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଗାନ୍ଧୀନଗର ପଡ଼ାର ଟିଭିଏସ୍ ଶୋ’ରୁମ୍ ନିକଟରେ ଜଣେ ମହିଳାଙ୍କୁ ଟାର୍ଗେଟ କରିଥିଲା ଲୁଟେରା । ମହିଳାଙ୍କ ବେକରୁ ପ୍ରାୟ ୬ ଗ୍ରାମ୍ ଓଜନର ସୁନା ମଙ୍ଗଳସୂତ୍ର ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଲୁଟ୍ ହୋଇଥିବା ମଙ୍ଗଳସୂତ୍ରର ମୂଲ୍ୟ ୮୦ରୁ ୯୦ ହଜାର ଟଙ୍କା ହେବ ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ତଦନ୍ତକୁ ଜୋରଦାର କରିଥିଲା ଟାଉନ୍ ଥାନା ପୋଲିସ । ବିଭିନ୍ନ ସ୍ଥାନର ସିସିଟିଭି ଏବଂ ANPR କ୍ୟାମେରା ଫୁଟେଜ୍ ଯାଞ୍ଚ କରି ଲୁଟ୍‌ରେ ବ୍ୟବହୃତ ଲାଲ୍ ରଙ୍ଗର ୟାମାହା ଏଫ୍‌ଜେଡ୍‌ ବାଇକ୍‌କୁ ଚିହ୍ନଟ କରିଥିଲା । ପରେ ମାନବୀୟ ସୂଚନା ଓ ସାଇବର ସେଲ୍‌ର ବୈଷୟିକ ସହାୟତାରେ ନଭେମ୍ବର ୩ ତାରିଖ ରାତିରେ ନନ୍ଦିନୀ ନଗର ଛକରୁ ଅଭିଯୁକ୍ତକୁ କାବୁ କରିଥିଲା ପୋଲିସ । ତା’ ନିକଟରୁ ଲୁଟ୍ ହୋଇଥିବା ମଙ୍ଗଳସୂତ୍ର, ଘଟଣାରେ ବ୍ୟବହୃତ ବାଇକ୍ ଏବଂ ନଗଦ ୬୦୦ ଟଙ୍କା ଜବତ ହୋଇଛି । ଏହାସହ ଅଭିଯୁକ୍ତଙ୍କ ନାମରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଏକାଧିକ ମାମଲା ଥିବା ପୋଲିସ ରେକର୍ଡରୁ ଜଣାପଡ଼ିଛି । ଏହି ଘଟଣାରେ ମାମଲା ରୁଜୁ କରି ଟାଉନ୍ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.