
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ବେଆଇନ କାଠ ଚାଲାଣ ଓ ଜଙ୍ଗଲ ସମ୍ପଦ ଲୁଟ୍କୁ ରୋକିବା ପାଇଁ ବନ ବିଭାଗର ତୀକ୍ଷ୍ଣ ନଜରଦାରୀ ଜାରି ରହିଛି । ଏହି କ୍ରମରେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ପେଟ୍ରୋଲିଂ ସମୟରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ବେଆଇନ ଭାବେ ଶାଳ କାଠ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ୧୨ ଖଣ୍ଡ ଶାଳ ପଟା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ । ସୂଚନା ଅନୁଯାୟୀ, ବେଲଘର ବନାଞ୍ଚଳର ବନ କର୍ମଚାରୀମାନେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ଧୂମାମାସ୍କା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଶାଳ କାଠ ପରିବହନ ହେଉଥିବା ଦେଖି ଚଢ଼ାଉ କରିଥିଲେ । ଏହି ସମୟରେ ୧୨ ଖଣ୍ଡ ସାଇଜ୍ ଶାଳ ପଟା ଜବତ କରାଯାଇଥିଲା । ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩୨ ହଜାର ୪୫୨ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି । ଏହି ଘଟଣାରେ କାଠ ପରିବହନରେ ବ୍ୟବହୃତ ବଜାଜ୍ ଅଟୋ ରିକ୍ସା ନଂ. ଓଡି-୦୮- କ୍ୟୁ-୯୦୩୩କୁ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ବାବୁଲାଲ ବାଗ (୪୩) । ଏନେଇ ବେଲଘର ରେଞ୍ଜ ପକ୍ଷରୁ କେସ୍ ନଂ ୩୩/୨୦୨୬- ୨୭ ରେ ମାମଲା ରୁଜୁ ହୋଇଛି । ଜବତ କାଠ କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ଚଢ଼ାଉରେ ବେଲଘର ଫରେଷ୍ଟର ରାଜେଶ୍ୱର ବଡ଼ମାଝି, ଗୁମ୍ମା ଫରେଷ୍ଟର ଦୀପକ ପ୍ରଧାନ, ଧରାଣୀମାସ୍କା ଫରେଷ୍ଟ ଗାର୍ଡ ସନ୍ଦୀପ ଦାସଙ୍କ ସମେତ ବନ ବିଭାଗ ସୁରକ୍ଷା ଦଳର ବୁଲୁ ବିଜୁଳି ସେଠ୍ ପ୍ରମୁଖ ସାମିଲ ଥିଲେ । ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ଏଭଳି ନିୟମିତ ଚଢ଼ାଉ ଜାରି ରହିଲେ ବେଆଇନ କାଠ ଚାଲାଣ ଉପରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।